
ନୂଆଦିଲ୍ଲୀ, ୧୨/୧୨/୨୧ (ଜିଲ୍ଲା ଖବର ) : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ୱର ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାଇରାଲ ସଂକ୍ରମଣର ସବୁଠାରୁ ବିପଜ୍ଜନକ ଦିଗ ହେଉଛି ଏହାର ଗମ୍ଭୀରତା । ଏହା ପୂର୍ବରୁ ଡେଲଟା ଭାରିଆଣ୍ଟ ଅନେକ ଦେଶରେ ହଇଚଇ ସୃଷ୍ଟି କରିଥିଲା । ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରମଣ କରୁଥିଲା । ଏଥିରେ ରୋଗୀମାନଙ୍କୁ ଉଭୟ ହାଲୁକା ଓ ଗମ୍ଭୀର ଲକ୍ଷଣ ଅନୁଭବ ହେଉଥିଲା । ଅଧିକ ଜ୍ୱର, ଲଗାତାର କାଶ ହେବା, ଛାତି ଯନ୍ତ୍ରଣା, ରକ୍ତରେ ଅମ୍ଲଜାନର ଅଭାବ ପରି ଲକ୍ଷଣ ଏଥିରେ ଦେଖିବାକୁ ମିଳୁଥିଲା । ଏବେ ଓମିକ୍ରନ ଦୁନିଆ ଆଗରେ ଏକ ନୂଆ ସମସ୍ୟା ହୋଇ ମାଡ଼ିବାରେ ଲାଗିଛି । ଏହାର ଗମ୍ଭୀରତା, ପ୍ରସାରଣ ହାର ଓ ଲକ୍ଷଣ ଅନେକ ପ୍ରକାରର ଥିବା ଦାବି କରାଯାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଦାବି କରିଛି ଯେ, ନୂଆ ଓମିକ୍ରନ ଭାରିଆଣ୍ଟ ପୂର୍ବରୁ ସଂକ୍ରମିତ ହୋଇସାରିଥିବା ଲୋକଙ୍କ ମଧ୍ୟ ଅତି ସହଜରେ ଶିକାର କରୁଛି । ଏହା ବ୍ୟତୀତ ଟିକାର ୨ଟି ଯାକ ଡୋଜ୍ ନେଇସାରିଥିବା ଲୋକ ବି ଓମିକ୍ରନଠାରୁ ସୁରକ୍ଷିତ ନୁହଁନ୍ତି । ଓମିକ୍ରନ ଭାରିଆଣ୍ଟ କେତେ କ୍ଷତିକାରକ, ତାହା ଆଗାମୀ କିଛି ଦିନ ବା ସପ୍ତାହରେ ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା ବିଶ୍ୱର ସମସ୍ତ ଡାକ୍ତର ଓ ବୈଜ୍ଞାନିକମାନେ ଓମିକ୍ରନର ଅନେକ ପ୍ରକାରର ଲକ୍ଷଣ ବିଷୟରେ ଦାବି କରିଛନ୍ତି ।
ରାତିରେ ଝାଳ ଓ ଶରୀରରେ ଯନ୍ତ୍ରଣା:
ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଇନୱେନ ପିଲ୍ଲେ କହିଛନ୍ତି ଯେ, ଓମିକ୍ରନରେ ସକ୍ରଂମିତ ରୋଗୀଙ୍କୁ ରାତିରେ ଝାଳ ବାହାରିବାର ଅଭିଯୋଗ ଆସିପାରେ । ଅନେକ ଥର ରୋଗୀଙ୍କଠାରୁ ଏତେ ଝାଳ ବାହାରିବ କି, ସେମାନଙ୍କର ପୋଷାକ ଓ ବେଡ ବି ଓଦା ହୋଇପାରେ । ସଂକ୍ରମିତ ରୋଗୀ ଥଣ୍ଡା ଜାଗାରେ ରହିଲେ ବି ତାଙ୍କଠାରୁ ଝାଳ ବାହାରିପାରେ । ଏହା ବ୍ୟତୀତ ରୋଗୀଙ୍କ ଶରୀରରେ ଯନ୍ତ୍ରଣା ଅନୁଭବ ହେବ ।


