
୧୦/୧୨/୨୧ (ଜିଲ୍ଲା ଖବର ) : ଜେନେରାଲଙ୍କୁ ଝୁରୁଛି ଦେଶ । ଏବେ ବି ତାଙ୍କ ମୃତ୍ୟୁକୁ ଦେଶ ବିଶ୍ୱାସ କରିପାରୁନି । ପୁରା ଦେଶ କୁନ୍ନୁର ଦୁର୍ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିବାବେଳେ ଆଜି ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କର ଶେଷକୃତ୍ୟ କରାଯିବ । ବର୍ତ୍ତମାନ ଜେନେରାଲ ରାୱତ ଏବଂ ପତ୍ନୀ ମଧୁଲିକାଙ୍କ ଶବ କାମରାଜ ମାର୍ଗସ୍ଥିତ ସରକାରୀ ବାସଭବନକୁ ନିଆଯାଇଛି । ଯେଉଁଠାରେ ଜେନେରାଲଙ୍କ ଦୁଇ ଝିଅ କ୍ରିତ୍ତିକା ଓ ତାରିଣୀ ବାପା-ମା ଙ୍କୁ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏହାସହ ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ଓ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସେହିପରି କଂଗ୍ରେସ ନାତ ରାହୁଲ ଗାନ୍ଧୀ, କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏକେ ଆଣ୍ଟୋନୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାସହ ଏନଏସଏ ଅଜିଲ ଡୋଭାଲ ମଧ୍ୟ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କୁ ଶେଷ ଦର୍ଶନ କରିଛନ୍ତି । ଅନ୍ୟାନ୍ୟ ବରିଷ୍ଠ ନେତାମନ୍ତ୍ରୀ ଅନ୍ତିମ ବିଦାୟ ଦେଇଛନ୍ତି।
ଅପରାହ୍ନ ପ୍ରାୟ ୨ଟା ବେଳେ ତିନି ବାହିନୀର ସାମରିକ ବାଦ୍ୟ ବାଜଣ ସହ ଦୁହିଁଙ୍କ ଶବ ଧୌଲା କୁଆଁରେ ଥିବା ବ୍ରାର୍ ଶ୍ମଶାନକୁ ନିଆଯିବ। ଅପରାହ୍ନ ୪ଟାରେ ସେମାନଙ୍କର ଶବଦାହ କରାଯିବ। ଜେନେରାଲ୍ ରାୱତ୍ଙ୍କ ବିୟୋଗରେ ଦେଶ ଓ ବିଦେଶରୁ ଶ୍ରଦ୍ଧାଞ୍ଜଳି ଆସୁଛି। ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେ ଜଣେ ବିଚକ୍ଷଣ ସୈନିକ ଏବଂ ବାସ୍ତବ ଦେଶଭକ୍ତ ବୋଲି ଅଭିହିତ କରିଛନ୍ତି ।


