
୦୭/୧୨/୨୧ ( ଜିଲ୍ଲା ଖବର ) : ଲଗାତାର ଷଷ୍ଠ ଦିନରେ ବି ବିଧାନସଭା ଅଚଳ । ଘଣ୍ଟ ବାଡ଼େଇ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରୁଛି ବିଜେପି । ମମିତା ପ୍ରସଙ୍ଗରେ ହଙ୍ଗାମା ଭିତରେ 4ଟା ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ଅଧିବେଶନର ଷଷ୍ଠ ଦିନର ଆରମ୍ଭରୁ ବି ବିରୋଧୀ ମାନେ କ୍ୟାପଟେନଙ୍କ ଇସ୍ତଫା ଦାବି ଉଠାଇଥିଲେ ।
ଘଣ୍ଟା ବାଡ଼େଇ ଶୋଇଥିବା ରାଜ୍ୟ ସରକାରଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା କହିଛି ବିଜେପି । ସେପଟେ ପୁଣିଥରେ ଉଭୟ କଂଗ୍ରେସ ଓ ବିଜେପି କ୍ୟାପଟେନଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି ଉଠାଇଥିଲେ । ହେଲେ ଆଲୋଚନା ପରିବର୍ତ୍ତେ ବାଚସ୍ପତି ଅପରାହ୍ନ 4 ଟା ଯାଏଁ ଗୃହ ମୁଲତବି କରିଛନ୍ତି । ରାଜ୍ୟ ସରକାର ଗୃହ ଚଳାଇ ଦେବାକୁ ଚାହୁଁ ନାହାନ୍ତି ବୋଲି କହିଛି ବିଜେପି ।
ଗୃହକୁ ଅଚଳ କରିବାରେ ସରକାର ସମ୍ପୂର୍ଣ୍ଣ ଦାୟୀ । ଯଦି ବାଚସ୍ପତି ଚାହିଁଥାନ୍ତେ 11.30ଟା ପର୍ଯ୍ୟନ୍ତ ମୁଲତବି କରିଥାନ୍ତେ । ଏମିତି ହେଲେ କିଛି ବିଷୟ ଉପରେ ଆଲୋଚନା ହୋଇପାରିଥାନ୍ତି । ହେଲେ ତାହା ହୋଇପାରିଲାନି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ବିଧାନସଭା ପରିସରରେ ଜଗନ୍ନାଥଙ୍କ ଫଟୋ ରଖି ଦୀପ, ଧୂପ ଦେଇ ପୂଜାର୍ଚ୍ଚନା କରାଯାଉଥିବା ସହ ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି ବିରୋଧୀ । ଘଣ୍ଟ ବାଡେଇ ଶୋଇଥିବା ରାଜ୍ୟ ସରକାରଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ବିରୋଧୀ ।
ସୂଚନାଯୋଗ୍ୟ, ଗତକାଲି ଗୃହରେ ମମିତା ହତ୍ୟାକାଣ୍ଡ ମାମଲାରେ ଯେତେବେଳେ ବିଜେପି ବିଧାୟକ ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ଏହି ମାମଲାରେ ଅଭିଯୁକ୍ତ ରହିଥିବା ଦିବ୍ୟଶଙ୍କର ମିଶ୍ର ରଖିଥିଲେ ଉତ୍ତର । ଉତ୍ତର ବେଶ ସଂକ୍ଷିପ୍ତ ଥିଲା ।
ମୋହନ ମାଝୀଙ୍କ ପ୍ରଶ୍ନ ଥିଲା, ମମିତା ହତ୍ୟାକାଣ୍ଡ ଓ ସନସାଇନ ସ୍କୁଲ-ମହାଲିଙ୍ଗ କଲେଜ ଯୌନ ବ୍ୟଭିଚାର ନେଇ କେତୋଟି ମାମଲା କିଏ କିଏ ଦାଏର କରିଛନ୍ତି । ସେସବୁରେ କେତେଜଣ ଓ କେଉଁ ଅଭିଯୁକ୍ତମାନେ ରହିଛନ୍ତି । ହତ୍ୟାକାଣ୍ଡର ମାସକ ପୂର୍ବରୁ ସେହି କଲେଜ ପରିସରକୁ କେଉଁ ଭିଆଇପିମାନେ କେଉଁ ଉଦ୍ଦେଶ୍ୟରେ ପରିଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରୁ କିଏ ସେଠାରେ ରାତ୍ରୀ ଯାପନ କରିଥିଲେ ସେମାନଙ୍କର ଉଭୟ ହତ୍ୟାକାଣ୍ଡ ଓ ଯୌନ କେଳେଙ୍କାରୀ ସହିତ କି ସମ୍ପର୍କ ରହିଛି ସେସବୁର ବିଶେଷ ତଥ୍ୟ ମଗାଯାଇଥିଲା ।
ଏହାର ଯବାବରେ ଏହି ମାମଲାରେ ନିଜେ ଅଭିଯୁକ୍ତ ରହିଥିବା ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ…ବର୍ତ୍ତମାନ ମୋକଦ୍ଦମାଟି ତଦନ୍ତାଧୀନ ଅଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ପୂର୍ବତନ ଜିଲ୍ଲା ଜଜ ଏ.ବି.ଏସ ନାଇଡୁଙ୍କୁ ମନୋନୀତ କରିଛି । ସେହି ଅନୁସାରେ ରାଜ୍ୟ ସରକାର ଏ.ବିଏସ ନାଇଡୁଙ୍କୁ ଉପରୋକ୍ତ ମୋକଦ୍ଦମାର ତଦନ୍ତକୁ ତଦାରଖ କରିବା ନିମନ୍ତେ ନିଯୁକ୍ତ କରିଛନ୍ତି । ଏପରି ଉତ୍ତର ରଖି ଦିବ୍ୟଶଙ୍କର ପୁରା ମାମଲା ଉପରେ ଘଂଟ ଘୋଡାଇବାକୁ ଚେଷ୍ଟା କରିଥିଲେ ।


