ସ୍ୱାଭାବିକ ହେଉଛି ଜମ୍ମୁକାଶ୍ମୀର ସ୍ଥିତି, ଖୋଲିଲା ସ୍କୁଲ

17

ଶ୍ରୀନଗର,୧୯/୮(ଜିଲ୍ଳାଖବର) : ଜମ୍ମୁକାଶ୍ମୀର ପ୍ରଶାସନର ଘୋଷଣା ପରେ ଆଜି ସ୍କୁଲ ଖୋଲିଛି । ୧୪ ଦିନ ପରେ ସ୍କୁଲ ଖୋଲିଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ସ୍କୁଲ ପରିସରରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି | ସେହିପରି କୌଣସି ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଜମ୍ମୁକାଶ୍ମୀର ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ବନ୍ଦ ରହିଥିବା କଲେଜ କିଭଳି ଖୋଲାଯିବ ସେ ନେଇ ବ୍ୟବସ୍ଥା କରାଯାଉଥିବାର ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ଯେତେଦିନ ଧରି କଲେଜ ବନ୍ଦ ରହିଥିବା ଅତିରିକ୍ତ କ୍ଲାସ କରି ଶିକ୍ଷାଦାନକୁ ପୁରଣ କରାଯିବ ବୋଲି ଗୃହ ବିଭାଗ କହିଛି । ଏଠାରେ ସୂଚନା ଥାଉ କି ସୋମବାର ଦିନ ଶ୍ରୀନଗରରେ ୧୯୦ରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ଖୋଲିବ ବୋଲି ରବିବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ ଘୋଷଣା କରିଥିଲା । ଯୋଜନା ଓ ବିକାଶର ପ୍ରମୁଖ ସଚିବ ରୋହିତ କାନ୍‌ସଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ କେବଳ ଶ୍ରୀନଗର ଜିଲ୍ଲାରେ ୧୯୦ରୁ ଊର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟ ପୁଣି ଖୋଲିବାକୁ ଯୋଜନା କରାଯାଇଛି । କାନ୍‌ସଲ୍‌ କହିଥିଲେ ଯେ ଶନିବାର ଦିନ ୩୫ ଥାନା ଅଞ୍ଚଳରେ କଟକଣା କୋହଳ କରାଯାଇଥିବା ବେଳେ ରବିବାର ଦିନ ୫୦ଟି ଥାନା ଅଞ୍ଚଳରେ କଟକଣା କୋହଳ କରାଯାଇଛି।