
୦୩/୧୨/୨୧ (ଜିଲ୍ଲା ଖବର ) : ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ସମ୍ଭାବ୍ୟ ବାତ୍ୟା ଜଓ୍ୱାଦର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ କରିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ସମୀକ୍ଷା ବୈଠକରେ ଓଡ଼ିଶା ସମେତ ପ୍ରଭାବିତ ଅଞ୍ଚଳର ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, ବାତ୍ୟାର ମୁକାବିଲା ପାଇଁ ସମସ୍ତ ମନ୍ତ୍ରଣାଳୟ ଏବଂ ସଂସ୍ଥା ଗୁଡ଼ିକ ମିଳିତ ଭାବେ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ବାତ୍ୟା ସମୟରେ ବିଦ୍ୟୁତ୍ ଯୋଗାଣ, ଟେଲି ଯୋଗାଯୋଗ, ବିଶୁଦ୍ଧ ପାନୀୟ ଜଳ ସହ ଅତ୍ୟାବଶ୍ୟକ ସାମଗ୍ରୀ ଆଦି ବିଭିନ୍ନ ଜରୁରୀ ସେବାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରାକୃତିକ ବିପତ୍ତି ସମୟରେ ଓଡ଼ିଶାର ଭାଇ ଭଉଣୀ ଓ ଗୁରୁଜନମାନଙ୍କୁ ଅନୁରୋଧ, ସମସ୍ତେ ପ୍ରଶାସନ ଦ୍ୱାରା ଜାରୀ କରାଯାଇଥିବା ସତର୍କ ସୂଚନାକୁ ପାଳନ କରିବା ଏବଂ ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା । ଜଓ୍ୱାଦ ପ୍ରଭାବରେ କାହାର କୌଣସି କ୍ଷତି ନ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।


