Sunday, November 15, 2026
Home ଆଞ୍ଚଳିକ ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ‘ଜୱାଦ୍’! ୯୦ରୁ ୧୦୦ କିମି ବେଗରେ ବହିପାରେ ପବନ

ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ‘ଜୱାଦ୍’! ୯୦ରୁ ୧୦୦ କିମି ବେଗରେ ବହିପାରେ ପବନ

97

ଭୁବନେଶ୍ୱର,୦୩/୧୨/୨୧ (ଜିଲ୍ଲା ଖବର ) : ଲମ୍ବା ବ୍ୟବଧାନ ପରେ ପୁଣି ଏକ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଏସଆରସି ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ପଳନୀ ଜରିଆରେ ବାତ୍ୟା ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଇଏମଡି ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ସ୍ଥଳଭାଗରେ ଅଳ୍ପ ସମୟ ରହିବା ପରେ ପୁଣି ସମୁଦ୍ରକୁ ଫେରି ବାତ୍ୟା ଫେରିଯାଇପାରେ ।

ତେବେ ଏସଆରସି ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଆଜି ମଧ୍ୟରାତ୍ର ପରଠାରୁ ବର୍ଷା ଆରମ୍ଭ ହୋଇପାରେ । ୪ ତାରିଖରେ ବର୍ଷା ଓ ପବନର ପରିଣାମ ଅଧିକ ରହିବ । ବାତ୍ୟାର ପ୍ରଭାବ ବିଶେଷ କରି ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାରେ ଅଧିକ ରହିବ । ଏହି ଜିଲ୍ଳା ମାନଙ୍କରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବ । ଏହାପରେ ୫ ତାରିଖରେ ଉତ୍ତର ଉପକୂଳ ଜିଲ୍ଲାମାନଙ୍କରେ ବର୍ଷାର ପ୍ରଭାବ ରହିବ ।

ସେହିପରି ୪ ତାରିଖ ଶନିବାର ଠାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା-ପବନ ନେଇ ରେଡ୍ ୱାର୍ଣିର୍ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଏଥିସହ ସ୍ଥାନେ ସ୍ଥାନେ ୨୦୦ ମିଲିମିଟର୍ ରୁ ଅଧିକ ବର୍ଷା ହୋଇପାରେ । ୫ ତାରିଖ ଦିନ ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ହେବ ।

ବାତ୍ୟା ଜୱାଦ୍ ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ କରିବା ସମୟରେ ୯୦ ରୁ ୧୦୦ କିମି ବେଗରେ ପବନ ବହିପାରେ । ତେବେ ଯଦି ବାତ୍ୟା ଦିଗ ବଦଳାଏ ତାହେଲେ ସ୍ଥଳଭାଗ ନ ଛୁଇଁପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି ।