
ନୂଆଦିଲ୍ଲୀ ,୦୨/୧୨/୨୧ (ଜିଲ୍ଲା ଖବର ) : ନିଜ ୪୦ତମ ଜନ୍ମଦିନରେ ୪୦ ଲକ୍ଷ ଟଙ୍କା ଦାନ କରିବେ ଦିୟା ମିର୍ଜା । ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଆସନ୍ତା ଡିସେମ୍ବର ୯ରେ ତାଙ୍କର ୪୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ତେବେ ସେ ତାଙ୍କର ଏହି ସ୍ବତନ୍ତ୍ର ଦିନରେ ଏକ ଖାସ୍ କାମ କରିବାକୁ ଚାହୁଁଛନ୍ତି ।
ସେ ତାଙ୍କର ଏହି ଖାସ୍ ଦିନରେ କରୋନାରେ ପ୍ରାଣ ହରାଇଥିବା ବନବିଭାଗ କର୍ମଚାରୀଙ୍କ ପରିବାର ପାଇଁ ଏକ ଯୋଜନା କରୁଛନ୍ତି। ଦିୟା ମିର୍ଜା ସଂଯୁକ୍ତ ରାଷ୍ଟ୍ର ପର୍ଯାବରଣ କାର୍ଯ୍ୟକ୍ରମ (UNEP) ର ଗୁଡ଼ୱିଲ ଆମ୍ବାସାଡର ଅଛନ୍ତି। ସେ ଏକ ଫଣ୍ଡରେଜିଙ୍ଗ ପ୍ଲାଟଫର୍ମ ‘ମିଲାପ’ ଜରିଆରେ କହିଛନ୍ତି ଯେ ନିଜର ୪୦ତମ ଜନ୍ମଦିନରେ ୪୦ ଲକ୍ଷ ଟଙ୍କା ଦାନ କରିବେ।
ଦିୟା ମିର୍ଜା ଏକ ଟ୍ୱିଟ କରି ଲେଖିଛନ୍ତି, “ଏଥର ମୋ ଜନ୍ମଦିନରେ ମୁଁ ସେ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି, ଯେଉଁମାନେ ମୋତେ ଫୁଲତୋଡ଼ା କିମ୍ବା ଆଉ କିଛି ଉପହାର ଦେବାକୁ ଚାହୁଁଛନ୍ତି, ତା ବଦଳରେ ଆମ ବନରକ୍ଷକଙ୍କୁ ସାହାଯ୍ୟ କରିବାକୁ wti ରେ ଦାନ କରନ୍ତୁ। ଜନ୍ମଦିନରେ ଏହା ଠାରୁ ଆଉ ଭଲ ଉପହାର ହୋଇ ପାରିବନି । ଆପଣମାନଙ୍କ ଉପହାର ଜଙ୍ଗଲର ରକ୍ଷକ ଓ ଶୋକ ସନ୍ତପ୍ତ ପରିବାର ପାଇଁ ସହାୟକ ହେବ ଯେଉଁମାନେ ପ୍ରକୃତିକୁ ରକ୍ଷା କରି କୋଭିଡ ପ୍ରାଣ ହରାଇଛନ୍ତି।”
ଆଗକୁ ସେ କହିଛନ୍ତି, ସେ ନିଜର ୪୦ତମ ଜନ୍ମଦିନରୁ ଆରମ୍ଭ କରି ଆଗାମୀ ୪୦ ଦିନ ଯାଏଁ ପ୍ରତିଦିନ ଏକ ଲକ୍ଷ ଟଙ୍କା ଦାନ କରିବେ ଏବଂ ସମସ୍ତେ ନିଜ ନିଜର ସକ୍ଷମ ଅନୁଯାୟୀ ଦାନ କରନ୍ତୁ
୨୦୨୧ ମାର୍ଚ୍ଚ ଓ ଜୁନ ମଧ୍ୟରେ ଲୋକେ ଘରେ ଥିବା ବେଳେ, ଭାରତର ୫୦୦ ରୁ ଅଧିକ ବନରକ୍ଷକ କରୋନାରେ ପ୍ରାଣ ହରାଇଛନ୍ତି ।


