
୦୨/୧୨/୨୧ (ଜିଲ୍ଲା ଖବର ) : ରତ୍ନଭଣ୍ଡାର ଚାବି ହଜିବା ଘଟଣା । ପୁଣି ହାତରେ ଲାଗିଲା ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ । ଚାବି ହଜିବା ପରେ ଜିଲ୍ଲା ରେକର୍ଡ ରୁମରୁ ଚାବି ମିଳିଥିବା କଥା ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଗଣମାଧ୍ୟମ ଆଗରେ କହିଥିଲେ । ଓ ସେହି ଚାବିକୁ ଜିଲ୍ଲା ଟ୍ରେଜେରୀରେ ଜମା କରିବାକୁ ମଧ୍ୟ କହିଥିଲେ ।
ସୂଚନା ଅଧିକାର ଆଇନ ବଳରେ ଟ୍ରେଜେରୀ କାର୍ଯ୍ୟାଳୟରୁ ମିଳିଥିବା ଚିଠି ଯାହାର ନମ୍ବର ୬୭୨, ତାରିଖ ୨୪-୯-୨୦୨୧। ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ପୁରୀ ଜିଲ୍ଲାପାଳଙ୍କ ତରଫରୁ ଜମା କରାଯାଇଛି । ହେଲେ ହାତରେ ଲାଗିଥିବା ଏହି ଦୁଇଟି ଚିଠି ସୃଷ୍ଟି କରିଛି ସନ୍ଦେହ । ପ୍ରଥମ ଚିଠିଟି ହେଉଛି ଚିଠି ନମ୍ବର ୬୭୨ଯାହାକି ସୂଚନା ଅଧିକାର ଆଇନ୍ ବଳରେ ଟ୍ରେଜେରୀ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ । ଟ୍ରେଜେରୀ କାର୍ଯ୍ୟାଳୟ ସଫାସଫା କହିଥିଲା, ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ୬-୮-୨୦୧୮ରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରୀରେ ଦାଖଲ କରିଛନ୍ତି ।
ଏବେ ନଜର ପକାନ୍ତୁ ଦ୍ବିତୀୟ RTI REPORT ଉପରେ । ଯାହାର ଚିଠି ନମ୍ବର ହେଉଛି ୨୨୨୨ । ଏ ଚିଠିଟି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ସେହି ସମାନ ତାରିଖ ୬-୮-୨୦୧୮ରେ ଟ୍ରେଜେରୀକୁ ଲେଖିଛନ୍ତି । ଏହି ଚିଠିରେ କୌଣସି ଜାଗାରେ ମଧ୍ୟ ଚାବି ସଂକ୍ରାନ୍ତୀୟ କଥା ଉଲ୍ଲେଖ କରିନାହାନ୍ତି । ଏପରିକି ମିଳଥିବା ନକଲି ଚାବି କଥା ମଧ୍ୟ ଉଲ୍ଲେଖ କରିନାହାନ୍ତି ।
ଆଉ ଚାବି ହଜିବା ଘଟଣା ନେଇ ପଚାରିଲେ ଆଇନ ମନ୍ତ୍ରୀଙ୍କ ମୁହଁରେ ତୁଣ୍ଡି । ବଡ ପ୍ରଶ୍ନ, ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ତ?



