
୩୦/୧୧/୨୧ (ଜିଲ୍ଲା ଖବର) : ଆଉ ହାତରେ ମୋଟରୁ ୪ ମାସ। ଏଇ ୪ ମାସ ଭିତରେ ଯୋଗାଡିବାକୁ ପଡିବ ୧୬ କୋଟି ଟଙ୍କା । ସେଇ ଇଞ୍ଜେକସନ୍ ମୋ ପୁଅର ଜୀବନ ବଞ୍ଚାଇବ, ନ ହେଲେ ସେ…।
ୟା ପର ଶବ୍ଦଗୁଡାକ ଲେଖିବାକୁ ହାତ ଯାଉନି। ମରଣ ମୁହଁରେ ବସିଥିବା ୧୮ ମାସର ଶିଶୁପୁତ୍ରକୁ ଧରି ଏ ମହିଳା ଜଣଙ୍କ ଦୁଃଖ ବଖାଣିବା ଅସମ୍ଭବ। କୋହ ସମ୍ଭାଳି ନ ପାରି ସେ ବାରମ୍ବାର କାନ୍ଦୁଛନ୍ତି। ପୁଅକୁ ବଞ୍ଚାଇବାକୁ ମାତ୍ର ଗୋଟିଏ ଇଞ୍ଜେକସନ୍ ଅଛି। ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିବ। ତଥାପି ପୁଅକୁ ବଞ୍ଚାଇବାକୁ କେବେ ଫୁଲବାଣୀରୁ ବାଙ୍ଗାଲୋର ତ କେବେ ଭୁବନେଶ୍ବର ଦଉଡୁଛନ୍ତି ସ୍ବାମୀସ୍ତ୍ରୀ ଦୁହେଁ।
କନ୍ଧମାଳର ଆମ୍ବପଡ଼ାର କୁଳମଣି ରଣାଙ୍କ ୧୮ ମାସର ପୁଅ ରାଜୀବ। ସେ ବର୍ତ୍ତମାନ ସ୍ପାଇନାଲ ମସ୍କୁଲାର ଆଟ୍ରୋପି ଭଳି ଏକ ସାଂଘାତିକ ରୋଗରେ ପୀଡ଼ିତ। ଯାହାପାଇଁ ଏ ଦୁନିଆରେ ମାତ୍ର ଗୋଟିଏ ଇ୍ଞ୍ଜେକସନ୍ ରହିଛି। ଏ ଇଞ୍ଜେକସନ ନ ମିଳିଲେ ଆସନ୍ତା ୪ ମାସ ଭିତରେ ଆଖି ବୁଜିଦେଇପାରନ୍ତି ଫୁଲବାଣୀର ଏଇ କୁନି ପୁଅ ରାଜବୀର ରଣା ।
ଜୋଲଗେନ୍ସମା ଇଞ୍ଜେକସନ ପାଇଁ ଆବଶ୍ୟକ ୧୬ କୋଟି ଟଙ୍କା । ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ମିଳୁଥିଲେ ବି ୧୬ କୋଟି ଯୋଗାଡ ହେବା ଅସମ୍ଭବ ହୋଇପଡିଛି । ଆର୍ଥିକ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜବୀରଙ୍କ ବାପା ମା ନିବେଦନ କରିବାକୁ ନବୀନ ନିବାସ ଯାଉଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପଦଯାତ୍ରାରେ ନବୀନ ନିବାସ ବାହାରିଛନ୍ତି ରାଜବୀରଙ୍କ ବାପା ମା ଓ ରାଜବୀର । ଆଉ ଏତିକି ବେଳେ ଆମ କ୍ୟାମେରା ଟିମ୍ ତାଙ୍କୁ ଭେଟିବା ପରେ ତାଙ୍କ ଦୁଃଖ କଏଦ ହୋଇଛି ଅର୍ଗସ୍ କ୍ୟାମେରାରେ।



