Tuesday, November 17, 2026
Home ଆଞ୍ଚଳିକ ୪୮ଘଣ୍ଟାରେ ଘନୀଭୂତ ହୋଇ ନେଇପାରେ ଅବପାତର ରୂପ, ପ୍ରଭାବରେ ଡିସେମ୍ବର ୨ରୁ ରାଜ୍ୟରେ ବର୍ଷିବ

୪୮ଘଣ୍ଟାରେ ଘନୀଭୂତ ହୋଇ ନେଇପାରେ ଅବପାତର ରୂପ, ପ୍ରଭାବରେ ଡିସେମ୍ବର ୨ରୁ ରାଜ୍ୟରେ ବର୍ଷିବ

18

ବ୍ରହ୍ମପୁର,୩୦/୧୧/୨୧ (ଜିଲ୍ଲା ଖବର) : ଦକ୍ଷିଣ-ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ। ଆଗାମୀ ୪୮ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡିସେମ୍ବର ୨ରୁ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ୩ତାରିଖ ବେଳକୁ ବର୍ଷାର ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪ତାରିଖ ବେଳକୁ ଏହି ଲଘୁଚାପ କ୍ଷେତ୍ର ଉପକୂଳ ମୁହାଁ ହେବ।

ଯାହା ଫଳରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଆଦି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଆସନ୍ତା ୨ତାରିଖ ବେଳକୁ ସମୁଦ୍ର ଅଶାନ୍ତ ରହିବାକୁ ଥିବା ବେଳେ ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ସ୍ପଷ୍ଟ ହୋଇନାହିଁ। ତେବେ ଏହା ସାଇକ୍ଲୋନିକ ଡିସ୍ଟରଭାନ୍ସରେ ପରିଣତ ହେବାର ବହୁତ ସମ୍ଭାବନା ରହିଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।