ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ଗର୍ଭବତୀ

10

ମୟୂରଭଞ୍ଜ, ୨୯/୧୧/୨୧ (ଜିଲ୍ଲା ଖବର ) : ପୁଣି ଜନନୀ ଯନ୍ତ୍ରଣା । ଖଟିଆରେ ବୁହାହେଲେ ଗର୍ଭବତୀ । ମୟୂରଭଞ୍ଜ ବାଙ୍ଗିରିପୋଷୀ ବ୍ଲକ ଚାକିଡି ପଞ୍ଚାୟତର ଜାମତାଳିଆ ଗାଁରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଗର୍ଭବତୀ ମହିଳା ହେଲେ ଜାମତାଳିଆ ଗାଁର ଗଙ୍ଗାଧର ହାଁସଦାଙ୍କ ପତ୍ନୀ ଫୁଲେଶ୍ବରୀ । ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଲୋକେ ।

ହେଲେ ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଖଟିଆରେ ବୋହି ବୁଢାବଳଙ୍ଗ ନଦୀ ପାର କରି ଆମଦାପାଣୀ ଛକ ପର୍ଯ୍ୟନ୍ତ ନଇଥିଲେ ଗ୍ରାମବାସୀ । ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷୀ ଡାକ୍ତରଖାନାକୁ ନିଆଯାଇଥିଲା ।

ତେବେ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୀର୍ଘ ଦିନରୁ ଗାଁକୁ ରାସ୍ତା ଓ ପୋଲ ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଫଳରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଗ୍ରାମବାସୀ।