
ଭୁବନେଶ୍ୱର, ୨୭/୧୧/୨୧ (ଜିଲ୍ଲା ଖବର) : ଆଜି ଉତ୍କଳ ବିଶ୍ଵବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ଵବିଦ୍ୟାଳୟର କନଭେକେସନ୍ ହଲରେ ସକାଳ ସାଢ଼େ ୧୦ଟାରେ ଆରମ୍ଭ ହେବ କାର୍ଯ୍ୟକ୍ରମ ।
ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ପଦ୍ମଶ୍ରୀ ଡ. ରଜତ କୁମାର କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଉତ୍ସବରେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିବେ ।
ଉତ୍କଳ ବିଶ୍ଵବିଦ୍ୟାଳୟ କୁଳସଚିବ ଡ. ଅଭୟ କୁମାର ନାୟକ ବାର୍ଷିକ ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ବଡ଼ମାଳି ଧନ୍ୟବାଦ ଦେବେ । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ସେଣ୍ଟର ଫର୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ ସେଣ୍ଟର୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।


