
୨୬/୧୧/୨୧ (ଜିଲ୍ଲା ଖବର) : ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍କୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ଵିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ଟ୍ଵିଟ କରି ଶ୍ରୀ ମିଶ୍ର ଲେଖିଛନ୍ତି ଯେ, ଜଗନ୍ନାଥ ସଂସ୍କୃତିରେ ମାଆ ସୁଭଦ୍ରା ଏବଂ ମାଆ ଲକ୍ଷ୍ମୀଙ୍କ ଗୁରୁତ୍ୱ ବୁଝିଥିଲେ, ଓଡ଼ିଶାରେ ମମିତା ଭଳି ଝିଅକୁ ଯେଉଁଭଳି ଭାବରେ ଷଡ଼ଯନ୍ତ୍ର କରି ନିର୍ମମ ହତ୍ୟା କରାଗଲା, ତାହାର ଷଡ଼ଯନ୍ତ୍ରକାରୀକୁ ପାଖରେ ବସାଇନଥାନ୍ତେ । ତୁମେ ତୁମ ମୁଖିଆଙ୍କୁ ବୁଝାଅ ଏବଂ କେବେ ବହିଷ୍କାର କରାଯିବ ରାଜ୍ୟବାସୀଙ୍କୁ ଜଣାଅ ।
ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବିତାଡିତ କରିବା ସହ ନିରପେକ୍ଷ ତଦନ୍ତ ନକରିବା ଯାଏଁ ମୁଖ୍ୟମନ୍ତ୍ରୀ ଯୁଆଡେ ଯିବେ ଏଭଳି ବିରୋଧ ଜାରି ରହିବ ।
ବବିବାବୁ, ଆମ ନେତା ଧର୍ମେନ୍ଦ୍ର ଭାଇଙ୍କୁ ତୁମେ ଯେଉଁ କଥା ଲେଖିଛ, ମୁଁ ଯାହା କହୁଛି ହୁଏତ ତୁମ ବାପା ସ୍ୱର୍ଗତ ଅଶୋକ ଭାଇ ଥିଲେ ଭଲରେ ବୁଝି ପାରିଥା’ନ୍ତେ । ମୁଁ ଭାବୁଛି ତୁମେ ବି ବୁଝିପାରିବ ।
ବବି ବାବୁ, ଧର୍ମେନ୍ଦ୍ର ଭାଇଙ୍କୁ ପରାମର୍ଶ ଦେବା ପୂର୍ବରୁ ତୁମ ମୁଖିଆକୁ ପରାମର୍ଶ ଦେଲେ ଭଲ ହୁଅନ୍ତା । ସାଢେ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ଚକାଆଖି ସବୁ ଦେଖୁଛି ।
ଗତ 20 ତାରିଖ ଦିନ ତୁମ ଦଳର ମୁଖିଆଙ୍କୁ ଓଡ଼ିଶାର ଉପବାଚସ୍ପତି ଠାକୁର ବୋଲି ସମ୍ବୋଧନ କଲେ । ତମ ମୁଖିଆ ମଉନ ରହି ବଡ଼ ଶରଧାରେ ସ୍ମିତହାସ୍ୟ ଦେଇ ନିଜେ ଠାକୁର ବୋଲି ସମ୍ମତି ପ୍ରକାଶ କଲେ ।
ପଖୋରୀ ଯାକର ମାଛ ସାରି, ବଗ ଯାଇଛି ତୀର୍ଥ କରି । ଓଡ଼ିଆ ଝିଅ ମମିତାର ଜଘନ୍ୟ ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପାଖରେ ବସାଇ ଶକ୍ତି ପ୍ରଦାନ କଲେ । ପତିତଜନଙ୍କୁ ଉଦ୍ଧାରିବା ପାଇଁ ପତିତପାବନ ବାନା । ଆମିଷ ଓ ନିରାମିଷ ମାମଲାରେ ତୁମ ମୁଖିଆଙ୍କର, ଚଟୁ ଆଇଁଷ ବେଣ୍ଟ ନିରାମିଷ ।
ବବି ବାବୁ, ତୁମେ ଜାଣିଥିବ ବିଗତ ବର୍ଷରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ପାଇଁ ତୁମ ଦଳ ଓ ତୁମର ମୁଖିଆ ଯେଉଁ ଷଡ଼ଯନ୍ତ୍ର କରିଥିଲେ, ତୁମର ଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧା କେତେ ଓଡ଼ିଶାବାସୀ ଜାଣିଛନ୍ତି । କାହା ପ୍ରଚେଷ୍ଟାରେ ମହାପ୍ରଭୁଙ୍କ ରଥଯାତ୍ରା ହେଲା, ଅଳ୍ପ ବହୁତେ ଓଡ଼ିଆ ଲୋକ ଜାଣିଛନ୍ତି ।
ରତ୍ନଭଣ୍ଡାର ଚାବି ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । ରତ୍ନ ଅଛି ନା ତୁମ ମୁଖିଆଙ୍କ ଶାସନରେ କିଏ ଲୁଟ କରିନେଲାଣି ? ଓଡ଼ିଶା ଲୋକ ସନ୍ଦେହରେ ରହିଛନ୍ତି । ରତ୍ନଭଣ୍ଡାର ପ୍ରଶ୍ନ ପଚାରିଲେ ତୁମ ଅଭିଯୁକ୍ତ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁହଁ ବୁଲାଇ ପଳାଉଛନ୍ତି ବୋଲି ସେ ଲେଖିଛନ୍ତି।



