
ପୁରୀ, ୨୪/୧୧/୨୧ ( ଜିଲ୍ଲା ଖବର) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ଗଜପତି ମହାରାଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହେଲା ଶିଳାନ୍ୟାସ। ୩ ଦିନ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୂତି ଦେଇ ଶିଳାନ୍ୟାସ କଲେ ଗଜପତି। ବାଚସ୍ପତି ମଧ୍ୟ ଏଠାରେ ଉପସ୍ଥିତ ଥିଲେ।
ଚତୁଃପାଶ୍ୱର୍ରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷଣ ପଥ-ଚାରିପାଖରେ ଥିବା ମଠ ଓ ମନ୍ଦିରର ପୁନଃବିକାଶ ସହ ରଥଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷଣ ପଥ ରହିବ । ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ହ୍ରାସ କରି ଶ୍ରୀକ୍ଷେତ୍ରକୁ ସର୍ବଶ୍ରେଷ୍ଠ ଧାର୍ମିକ ତଥା ଐତିହ୍ୟ କ୍ଷେତ୍ରରେ ପରିଣତ କରିବା ଲାଗି ଏହା ଗୁରୁତ୍ବପୂର୍ଣ୍ଣ।
ଗତ ରବିବାର ଗଜପତି ମହାରାଜ ଶ୍ରୀ ରାଜନଅରରେ ଗୁଆ ଟେକ ଦେଇଥିଲେ। ପରେ ଯଜ୍ଞ ଆରମ୍ଭ ନେଇ ରାଜଗୁରୁଙ୍କୁ ଆଚାର୍ଯ୍ୟ ବରଣ କରିଥିଲେ । ଗଜପତି ମହାରାଜ ରାଜନଅରରେ ଗୁଆ ଟେକିବା ପରେ ଯଜ୍ଞ ଆରମ୍ଭ ହୋଇଥିଲା। ଶାଲ ଅଧିବାସ ମଣ୍ଡଳ ପରେ ଅଙ୍କୁରାରୋପଣ କରାଯାଇଥିଲା । ଯଜ୍ଞ ନିମନ୍ତେ ୩୩ ଜଣ ସୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଥିଲା।






