
୨୧/୧୧/୨୧ (ଜିଲ୍ଲା ଖବର) : ଆହୁରି 8 ମାସ ରାସନ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY)କୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପୂର୍ବ ଘୋଷଣା ମୁତାବକ ୭ ମାସ ମାଗଣା ରାସନ୍ ଦିଆଯାଇଥିବା ବେଳେ ଆହୁରି ୮ ମାସ ଏହାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଟଳିନି । ଦେଶରେ ଏବେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ରହିଛି । ତେଣୁ ଲୋକଙ୍କ ପାଇଁ ଡିସେମ୍ବର ମାସରୁ ଆହୁରି ୮ ମାସ ମାଗଣା ରାସନ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ।
ଏଠାରେ କହି ରଖୁଛୁ ଯେ, କରୋନା କାଳରେ କେନ୍ଦ୍ର ସରକାର PMGKAY ଜରିଆରେ ୭ ମାସ ମାଗଣା ରାସନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଓ କାର୍ଡ ପିଛା ୧ କିଲୋ ଡାଲି ମାଗଣାରେ ଯୋଗାଇ ଦିଆଯାଉଛି ।


