
ନୂଆଦିଲ୍ଲୀ,୨୧/୧୧/୨୧ (ଜିଲ୍ଲା ଖବର) : ୫୦ ଦଶକର ସୁପରହିଟ୍ ଅଭିନେତ୍ରୀ ହେଲେନ୍ ଦର୍ଶକଙ୍କ ମନୋରଞ୍ଜନ କରିବାର କୌଣସି ବି ସୁଯୋଗ ହାତଛଡା କରନ୍ତି ନାହିଁ । ସିଲଭର ସ୍କ୍ରିନ୍ ଠାରୁ ଆରମ୍ଭ କରି ଗ୍ଲାମରସ୍ ପର୍ଯ୍ୟନ୍ତ ତାଙ୍କୁ ନେଇ ଚର୍ଚ୍ଚା । ତାଙ୍କ ନାଚରେ ନାଚି ଉଠନ୍ତି ଦର୍ଶକ । ତାଙ୍କର ହସ ହସ ଚେହେରା ସମସ୍ତଙ୍କୁ ଦିଓ୍ବାନା କରେ । ହେଲେ ତାଙ୍କର ଏହି ହସ ପଛରେ ଲୁଚି ରହିଥିବା ସଂଗ୍ରାମ କଥା ଜାଣିଲେ, ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜି ହେଉଛି ହେଲେନଙ୍କ ଜନ୍ମଦିନ । ଆଜି ସେ ତାଙ୍କର ୮୩ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।
୨୧ ନଭେମ୍ବର ୧୯୩୮ ରେ ବର୍ମାରେ ଜନ୍ମଗ୍ରହଣ କରିଥିଲେ ହେଲେନ । ପିତାଙ୍କ ଦେହାନ୍ତ ପରେ, ତାଙ୍କ ମା ଜଣେ ବ୍ରିଟିଶ ସୈନିକଙ୍କୁ ବିବାହ କରିଥିଲେ। କିନ୍ତୁ ରିଚାର୍ଡସନ ଦ୍ବିତୀୟ ବିଶ୍ବଯୁଦ୍ଧରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବହୁତ୍ ଅଭାବ-ଅନାଟନ ମଧ୍ୟରେ ଗତି କରୁଥିଲେ ସେମାନେ । ଏହାପରେ ତାଙ୍କ ମା’ କୋଲକାତାରେ ନର୍ସ ଭାବେ କାମ ଆରମ୍ଭ କଲେ । କିନ୍ତୁ ସେଥିରୁ ସେ ଯେତିକି ଅର୍ଥ ଉପାର୍ଜନ କରୁଥିଲେ, ସେଥିରେ ତାଙ୍କ ପରିବାର ଚଳିବା କଷ୍ଟକର ହୋଇ ପଡୁଥିଲା । କୋଲକାତାରେ ରହିବା ସମୟରେ ହେଲେନଙ୍କ ମା କୁକୁ ମୋରେଙ୍କୁ ଭେଟିଥିଲେ, ଯିଏ ଫିଲ୍ମରେ ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ। ତା’ପରେ କୁକୁ ହେଲେନଙ୍କୁ ଏକ ଫିଲ୍ମରେ ନୃତ୍ୟଶିଳ୍ପୀ ଭାବରେ ଚାକିରି ଦେଇଥିଲେ ।
ମାତ୍ର ୧୯ ବର୍ଷ ବୟସରେ, ଫିଲ୍ମ ହାୱଡା ବ୍ରିଜରେ ତାଙ୍କୁ ବଡ ବ୍ରେକ୍ ମିଳିଥିଲା । ଏହି ଫିଲ୍ମର ଗୀତ‘ମେରା ନାମ ଚିନ୍ ଚିନ୍ ଚୁ’ ହେଲେନଙ୍କ ଭାଗ୍ୟ ବଦଳାଇ ଦେଲା । ଏହା ପରେ ସେ ବଲିଉଡର ପ୍ରଥମ ଆଇଟମ୍ ଗାର୍ଲ ହୋଇଥିଲେ । ଏହାପରେ ସେ ବେଶ ନା କମାଇଥିଲେ ।
ଏହାପରେ ହେଲେନ ନିଜଠାରୁ ୨୭ ବର୍ଷ ବଡ ନିର୍ଦ୍ଦେଶକ ପିଏନ୍ ଆରୋରାଙ୍କୁ ୧୯୫୭ ମସିହାରେ, ବିବାହ କରିଥିଲେ। କିନ୍ତୁ ବିବାହର ୧୬ ବର୍ଷ ପରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଛାଡପତ୍ର ପରେ, ଏକାକି ଜୀବନ ବିତାଉଥିବା ହେଲେନ୍ ଫିଲ୍ମ ‘କାବିଲ ଖାନ’ ସମୟରେ ସଲିମ ଖାନଙ୍କ ସହ ସାକ୍ଷାତ ହୋଇଥିଲେ । ଚଳଚ୍ଚିତ୍ରରେ କାମ ନମିଳିବାରୁ ବିରକ୍ତ ହୋଇ, ହେଲେନ ଆତ୍ମହତ୍ୟା କରିବାକୁ ଚିନ୍ତା କରିବାକୁ ଲାଗିଲେ । କିନ୍ତୁ ସେ ସମୟରେ ତାଙ୍କ ବନ୍ଧୁ ଭାବେ ତାଙ୍କ ଜୀବନରେ ଆସିଥିଲେ ସଲିମ ଖାନ । ହେଲେଙ୍କର ଏଭଳି ପରିସ୍ଥିତିରେ ସେ ତାଙ୍କର ଯତ୍ନ ନେଇଥିଲେ ଏବଂ ସେ ବିବାହିତ ଜାଣିବା ପରେ ବି, ସେ ତାଙ୍କୁ ତାଙ୍କର ଜୀବନସାଥି କରିଥିଲେ।
ଭାରତୀୟ ସିନେମାରେ ଅବଦାନ ପାଇଁ ହେଲେନଙ୍କୁ ପଦ୍ମଶ୍ରୀ ଏବଂ ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ପ୍ରଦାନ କରା ଯାଇଥିଲା ।


