
ବ୍ରହ୍ମପୁର,୨୧/୧୧/୨୧ (ଜିଲ୍ଲା ଖବର ) : ଆଭ୍ୟନ୍ତରୀଣ ତାମିଲନାଡୁ ତଥା ପାର୍ଶ୍ୱବର୍ତ୍ତୀ ରୟାଲସୀମାରୁ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡିଶା ଯାଏଁ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉପରେ ନିମ୍ନ ଚାପରେଖା ସକ୍ରିୟ ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ସହ କିଛି ଜିଲ୍ଲାରେ ଲାଗିରହିଛି ହାଲୁକା ବର୍ଷା।
ତେବେ ଆଜି ଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟରେ ଆହୁରି ଦୁଇରୁ ତିନି ଦିନ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାସହ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।


