Sunday, November 15, 2026
Home ଆଞ୍ଚଳିକ ଡାକ୍ତରଙ୍କୁ ଡାକି ଡାକି ଶୁଣିଲେନି, ଏକ ଘଣ୍ଟା ଅପେକ୍ଷା କରି ଅଟୋରେ ପ୍ରସବ କଲେ ମହିଳା

ଡାକ୍ତରଙ୍କୁ ଡାକି ଡାକି ଶୁଣିଲେନି, ଏକ ଘଣ୍ଟା ଅପେକ୍ଷା କରି ଅଟୋରେ ପ୍ରସବ କଲେ ମହିଳା

6

ବେଗୁନିଆପଡା:-୧୯/୧୧/୨୦୨୧(ଜିଲ୍ଲା ଖବର): ଏକ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ବର୍ତମାନ ବଢ଼ିବଢି ଚାଲିଛି । ଡାକ୍ତରଙ୍କୁ ଡାକି ଡାକି ଶେଷରେ ଅଟୋ ଭିତରେ ସନ୍ତାନ ପ୍ରସବ କଲେ ମହିଳା। ଏମିତି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାହାଡା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ବ୍ଲକ ଅନ୍ତର୍ଗତ ଅଙ୍ଗରଗାଁ ର କାର୍ତ୍ତିକ ସେଠୀଙ୍କ ପତ୍ନୀ ଝୁନୁ ସେଠୀ ନିଜ ବାପା ଘର କୁମ୍ଭରଗାଁ ରୁ ଅଟୋ ଯୋଗେ ରାହାଡା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସବ ପାଇଁ ରାତି ୧ଟା ସମୟରେ ଯାଇଥିଲେ। ସାଙ୍ଗରେ ଆଶା କର୍ମୀ ଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ଝୁନୁ ଅଟୋ ଭିତରେ ଥିବା ବେଳେ ଅଟୋ ଚାଳକ ଡାକ୍ତରଙ୍କୁ ଡାକିଥିଲେ ବି କେହି ହେଲେ କବାଟ ଖୋଲିନଥିଲେ। ସେଠାରେ ଜଣେ ଏମ ବି ବି ଏସ ଓ ଜଣେ ଆୟୁଷ ଡାକ୍ତର ଥିବା ବେଳେ ଦୁଇ ଜଣ ଡାକ୍ତର ନିଘୋଡ଼ ନିଦରେ ଶୋଇଥିଲେ । ଏପଟେ ଦୀର୍ଘ ୪୫ ମିନିଟ ଅପେକ୍ଷା କରିବା ପରେ ଶେଷରେ ଝୁନୁ ଅଟୋରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପରେ ଅଟୋ ଚାଳକଙ୍କ ପାଟିରେ ଡାକ୍ତରଙ୍କ କବାଟ ଖୋଲିଲା। ଓ ଚିକିତ୍ସା ହେଲା। ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ସ୍ବେଛାସେବୀ ଅନୁଷ୍ଠାନ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟିରେ ଅବ୍ୟବସ୍ଥା ଲାଗିରହିଥିଲେ ବି ଉକ୍ତ ଟ୍ରଷ୍ଟ କୌଣସି ସମାଧାନ କରିପାରୁନାହାନ୍ତି ବୋଲି ବ୍ୟାପକ ଅଭିଯୋଗ ହେଉଛି। ଏଠାରେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ଏହି ମେଡିକାଲକୁ ସରକାର ହାତକୁ ନେବା ପାଇଁ ଦାବୀ ହେଉଛି। ଏପରି ଅବ୍ୟବସ୍ଥା ଯୋଗୁଁ ପ୍ରସୂତି ସୁମଣ୍ଡଳ କିମ୍ବା କୋଦଳା ମେଡିକାଲକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏଣୁ ପ୍ରଶାସନ ତୁରନ୍ତ ଏହାର ପରିଚାଳନା ପାଇଁ ଏହାକୁ ସରକାରୀ ସ୍ତରରେ ହସ୍ତାନ୍ତର କରାଯିବା ଆବଶ୍ୟକ ହୋଇପଡିଛି ।