
ନୂଆଦିଲ୍ଲୀ,୨୦/୧୧/୨୧ (ଜିଲ୍ଲା ଖବର ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରପ୍ରଦେଶ ଗସ୍ତର 2ୟ ଦିନ। ଲକ୍ଷ୍ନୌରେ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀରେ ଯୋଗଦେବେ ପିଏମ। ଏହି ସମ୍ମିଳନୀ ଲକ୍ଷ୍ନୌର ପୁଲିସ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି । ଏଥିରେ ବିଭିନ୍ନ ପୁଲିସ ବାହିନୀର ଡିଜିପି ସହିତ ଆଇଜିପି ମାନେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଦିନିଆ ସମ୍ମିଳନୀ ମିଶ୍ରିତ ଆକାରରେ ଅନୁଷ୍ଠିତ ହେବ ।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପୁଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ କେନ୍ଦ୍ରୀୟ ପୁଲିସ ପ୍ରତିଷ୍ଠାନର ମହାନିର୍ଦ୍ଦେଶକମାନେ ଲକ୍ଷ୍ନୌକୁ ଆସି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଅବଶିଷ୍ଟ ଆମନ୍ତ୍ରିତ ପୁଲିସ ଅଧିକାରୀଗଣ ଭର୍ଚୁଆଲ ବ୍ୟବସ୍ଥାରେ ଦେଶର ୩୭ଟି ବିଭିନ୍ନ ଗୁଇନ୍ଦା ବ୍ୟୁରୋ /ପ୍ରାଦେଶିକ ଗୁଇନ୍ଦା ବ୍ୟୁରୋ ସଦର କାର୍ଯ୍ୟାଳୟରୁ ଏହି ସମ୍ମିଳନୀରେ ଭାଗନେବେ ।
ଏହି ସମ୍ମିଳନୀରେ ସାଇବର ଅପରାଧ, ଡାଟା ଗଭର୍ଣ୍ଣାନ୍ସ, ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା, ବାମଉଗ୍ରପନ୍ଥୀ କାର୍ଯ୍ୟକଳାପର ଦମନ, ମାଦବଦ୍ରବ୍ୟ ଚୋରା କାରବାରର ନୂଆ ଧାରା ଏବଂ କାରାଗାର ସଂସ୍କାର ଆଦି ବିଭିନ୍ନ ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।



