
୧୮/୧୧/୨୧ (ଜିଲ୍ଲା ଖବର) : ଆଜି ସିଡ୍ନୀ ଡାଏଲଗ୍ରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ 9ଟାରେ ଭିସି ମାଧ୍ୟମରେ ପିଏମ ମୋଦି ଏହି କାର୍ଯ୍ୟକ୍ରମରେ ଯୋଡି ହେବା ସହିତ ନିଜର ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନଙ୍କ ପ୍ରାରମ୍ଭିକ ଭାଷଣ ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ପ୍ରଯୁକ୍ତି ଉଦ୍ଭାବନ ଓ ବିପ୍ଳବ ଉପରେ ଉଦ୍ବୋଧନ ଦେବେ ବୋଲି ଜଣାପଡିଛି । 17 ନଭେମ୍ବରରୁ ଆରମ୍ଭ ହୋଇଥିବା ସିଡନୀ ଡାଏଲଗ୍ 19 ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏଥିରେ ଦୁନିଆକୁ ଆସୁଥିବା ନୂତନ ପ୍ରଯୁକ୍ତିବିଦ୍ୟା ଓ ଏହାର ଆହ୍ୱାନ ଗୁଡିକୁ ନେଇ ସରକାରୀ, ରାଜନୈତିକ ଓ ବ୍ୟାବସାୟିକ ବିଶେଷଜ୍ଞମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେ ମଧ୍ୟ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବା ନେଇ ସୂଚନା ରହିଛି ।


