
ଭୁବନେଶ୍ୱର,୧୭/୧୧/୨୧ (ଜିଲ୍ଲା ଖବର ) : ରିଲାଏନ୍ସ ଜିଓ ପୁନର୍ବାର ୪ଜି ଡାଉନଲୋଡ ସ୍ପିଡରେ ନିଜର ଶୀର୍ଷ ସ୍ଥାନ ଅପରିବର୍ତିତ ରଖିଛି । ଭାରତର ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ନିମନ୍ତେ ପ୍ରକାଶିତ ତଥ୍ୟ ମୁତାବକ ଜିଓର ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ୨୧.୯ ଏମବିପିଏସ୍ ରହିଛି । ସେପ୍ଟେମ୍ବର ମାସ ତୁଳନାରେ ଏଥିରେ ୧ ଏମବିପିଏସ୍ ବୃଦ୍ଧି ପରିଲକ୍ଷିତ ହୋଇଛି । ସେପ୍ଟେମ୍ବର ମାସରେ ଜିଓର ୪ଜି ଡାଉନଲୋଡ ସ୍ପିଡ ୨୦.୯ ଏମବିପିଏସ୍ ଥିଲା ।
ଟ୍ରାଇ ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରତିଥର ଭଳି ଅକ୍ଟୋବର ମାସରେ ମଧ୍ୟ ରିଲାଏନ୍ସ ଜିଓ ଲଗାତର ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପୁନର୍ବାର ବହୁ ବ୍ୟବଧାନରେ ପଛରେ ପକାଇ ଦେଇଛି । ଜିଓର ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲ ଠାରୁ ୮.୭ ଏମବିପିଏସ ଅଧିକ ଏବଂ ଭୋଡାଫୋନ ଆଇଡିଆ ଠାରୁ ୬.୩ ଏମବିପିଏସ୍ ଅଧିକ ରହିଛି । ରିଲାଏନ୍ସ ଜିଓ ୪ଜି ଡାଉନଲୋଡ ସ୍ପିଡରେ ଲଗାତର ଏକ ନମ୍ବର ସ୍ଥାନ ଅଧିକାର କରିଆସୁଛି । ଅକ୍ଟୋବର ମାସରେ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୩.୨ ଏମବିପିଏସ୍ ରେକର୍ଡ କରାଯାଇଥିବା ବେଳେ ଭୋଡାଫୋନ ଆଇଡିଆର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୫.୬ ଏମବିପିଏସ୍ ରହିଥିବା ଜଣାଯାଇଛି ।
ଅକ୍ଟୋବର ମାସରେ ହାରାହାରି ୪ଜି ଅପ୍ ଲୋଡ୍ ସ୍ପିଡରେ ଭୋଡାଫୋନ ଆଇଡିଆ ୭.୬ ଏମବିପିଏସ୍ ସ୍ପିଡ୍ ସହିତ ଆଗରେ ରହିଥିବା ବେଳେ ରିଲାଏନ୍ସ ଜିଓ ୬.୪ ଏମବିପିଏସ୍ ସ୍ପିଡ ସହିତ ଦ୍ୱିତୀୟ ସ୍ଥାନରେ ଏବଂ ଭାରତୀ ଏୟାରଟେଲ ୫.୨ ଏମବିପିଏସ୍ ହାରାହାରି ଅପଲୋଡ୍ ସ୍ପିଡ୍ ସହ ତୃତୀୟ ସ୍ଥାନରେ ଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି ।
ସୂଚନାଯୋଗ୍ୟ ଯେ, ଟ୍ରାଇଦ୍ୱାରା ୪ଜି ଅପ୍ ଲୋଡ ଓ ଡାଉନଲୋଡର ବାସ୍ତବ ସ୍ଥିତି ମାଇଁସ୍ପିଡ ଆପ୍ଲିକେସନ ସହାୟରେ ବାସ୍ତବ ସମୟ ଭିତିରେ ପରିମାପ କରାଯାଇଥାଏ ।
ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡରେ ୩୫ ଏମବିପିଏସ୍ ସହିତ ଶୀର୍ଷରେ ରହିଥିବାବେଳେ ଭୋଡାଫୋନ ଆଇଡିଆ ୮.୩ ଏମବିପିଏସ୍ ଏବଂ ଭାରତୀ ଏୟାରଟେଲ ୬.୬ ଏମବିପିଏସ୍ ସ୍ପିଡ୍ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟରୁ ଜଣାପଡିଛି ।


