
୧୭/୧୧/୨୧ (ଜିଲ୍ଲା ଖବର ) : ପୂର୍ବତନ ବିଧାୟକ ଉମେଶ ସ୍ଵାଇଁଙ୍କ ପରଲୋକ । ବାଲିକୁଦାରୁ ୪ଥର ବିଧାୟକ ଥିବା ଉମେଶଙ୍କର ଆଜି ଭୋର ସମୟରେ ମୃତ୍ୟୁ ଘଟିଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ପରିବାର ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଆଜି ଭୋର ସମୟରେ ଉମେଶ ବାସ ଭବନରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇ ଯାଇଥିଲେ । ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ନେଇଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁରେ ରାଜ୍ୟର ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଗ୍ରାମରେ ତାଙ୍କ ଘର । ଆଜି ଅପରାହ୍ନରେ ତାଙ୍କ ପାର୍ଥିବ ଶରୀର ଗାଁକୁ ଅଣାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ଛାତ୍ର ଜୀବନରୁ ହିଁ ସେ ରାଜନୀତିରେ ସକ୍ରିୟ ଥିଲେ । ମଧୁସୂଦନ ଆଇନ କଲେଜ ରେ ପଢିବା ସମୟରେ ଛତ୍ର ସାଂସଦ ସଭାପତି ଭାବେ ମନୋନୀତ ହୋଇଥିଲେ । ପରେ ପରେ ସେ ବାଲିକୁଦା ରୁ ପ୍ରଥମ କରି ୧୯୭୭ ମସିହାରେ ଜନତା ଦଳରୁ ପ୍ରାର୍ଥୀ ହୋଇ କଂଗ୍ରେସର ହେବିୱେଟ ନେତା ବାସୁଦେବ ମହାପାତ୍ରଙ୍କୁ ପରାଜିତ କରିଥିଲେ ।
ସେହିପରି ୧୯୯୦ ରେ ଜନତା ଦଳରୁ ପ୍ରାର୍ଥୀ ହୋଇ ଦ୍ୱିତୀୟ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ପରେ ଜନତା ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ଉମେଶ । ୨୦୦୦ ମସିହାରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କୁ ହରାଇ ତୃତୀୟ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ସେହିପରି ୨୦୦୪ ମସିହାରେ ଲଗାତାର ଦ୍ୱିତୀୟ ଥର ଓ ମୋଟା ୪ ଥର ବାଲିକୁଦା ରୁ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ବାଲିକୁଦା ଓ ଏରସମା ବ୍ଲକକୁ ମିଶାଯାଇ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ପରିବର୍ତନ କରାଯାଇଥିଲା।
୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ଠାରୁ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳ ପରବର୍ତୀ ସମୟରେ ପ୍ରାର୍ଥୀ କରିନଥିଲା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ପୁଣି ଥରେ ବିଜେଡିର ମିସିଥିଲେ । ହେଲେ ବିଜେଡିର ମଧ୍ୟ ଅଲୋଡ଼ା ହୋଇଯାଇଥିଲେ । ଦଳ ତାଙ୍କୁ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିନଥିଲା । ୫୦ ବର୍ଷର ରାଜନୀତି କ୍ୟାରିୟର ରେ ଅନେକ ବିଜୟ ଓ ପରାଜୟକୁ ସାମ୍ନା କରିଛନ୍ତି । ହେଲେ ଲୋକମାନଙ୍କର ତାଙ୍କ ପ୍ରତି ଭଲ ପାଇବା ଅପରିବର୍ତ୍ତିତ ଥିଲା । ତାଙ୍କର ଅକାଳ ବିୟୋଗରେ କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ବରଂ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ସମର୍ଥକ ମାନେ ଉମେଶଙ୍କର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ।


