Tuesday, November 17, 2026
Home ଆଞ୍ଚଳିକ କଳାକାରମାନେ ବାସ୍ତବ ସମାଜ ସଂସ୍କାରକ : ମହାସଂଘ

କଳାକାରମାନେ ବାସ୍ତବ ସମାଜ ସଂସ୍କାରକ : ମହାସଂଘ

81

ବ୍ରହ୍ମପୁର, ତା.୧୪/୧୧(ଜିଲ୍ଲା ଖବର):କଳା ଓ କଳାକାର ହୀତୈଷୀ ମହାମଞ୍ଚ”ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ତରଫରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ଦ୍ଵିତୀୟ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସଂଘର ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହିଳା ସଂଘ ଶାଖା ସହ ଓଡ୍ର ବରିଷ୍ଠ କଳାକାର ମହାସଂଘ ଗଠନ କରାଗଲା । ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସଙ୍ଗୀତଜ୍ଞ ସିମଞ୍ଚଳ ଦାସ ମୁଖ୍ୟ ଅତିଥି, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ମୁଖ୍ୟ ବକ୍ତା, ସାରସ୍ଵତ ସାଧକ ନରେନ୍ଦ୍ର ପ୍ରସାଦ ବେହେରା, ପେଣ୍ଡରା ପ୍ରସାଦ ନାୟକ, ବାଲାଜୀ ପ୍ରସାଦ ସାମନ୍ତରାୟ, ପଣ୍ଡିତ ବିଶ୍ଵନାଥ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାର ସମାଜର ଏକତ୍ରୀକରଣ ଉପରେ ଗୁରୁତ୍ୱାରୋପ ଦେଇଥିଲେ । ତତ୍ପରେ କୃଷ୍ଣ ଚନ୍ଦ୍ର ରଣା ଏବଂ ସାଥିଙ୍କ ପାଲା ପରିବେଷଣ ହୋଇଥିଲା ।
କାର୍ଯ୍ୟକ୍ରମର ସନ୍ଧ୍ୟା ଅଧିବେଶନ ସୀମାନ୍ତ ନଟରାଜ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଯଥାକ୍ରମେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ଯୋଗଦେଇ କଳାକାର ମାନେ ହିଁ ବାସ୍ତବ ସମାଜ ସଂସ୍କାରକ ବୋଲି ନିଜ ଭାଷଣରେ ସୂଚିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ବରିଷ୍ଠ କଳାକାର ଅଶ୍ଵିନୀ କୁମାର ବେହେରା, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ଦକ୍ଷିଣ ଓଡ଼ିଶା ମଞ୍ଚ କଳାକାର ସମ୍ମିଳନୀ ସଭାପତି କେ. ବଳରାମ ଦାସ ପ୍ରମୁଖ ଯୋଗ ଦେଇ କଳାକାର ସଂଗଠନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କତିପୟ ବରିଷ୍ଠ କଳାକାରଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ, ଦେବେନ୍ଦ୍ର ପ୍ରସାଦ ଶର୍ମା ଅତିଥି ପରିଚୟ ଏବଂ ପ୍ରଫୁଲ୍ଲ ବେହେରା ଆନୁଷ୍ଠାନିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରିଶେଷରେ ଭଜରାମ ଡାକୁଆ ଓ ସାଥିଙ୍କ ଦ୍ଵାରା ଭାରତ ଲୀଳା ପରିବେଷଣ କରାଯାଇଥିଲା ।
ରିପୋର୍ଟ : କୁନା ମିଶ୍ର