
ବ୍ରହ୍ମପୁର/ଗଜପତି, ୧୪/୧୧/୨୧ (ଜିଲ୍ଲା ଖବର) : ଚାଷୀ ମୁଣ୍ଡରେ ଚଡ଼କ । ଲଘୁଚାପ ବର୍ଷା ଆଣିଲା ଦୁର୍ଦ୍ଦଶା । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ବର୍ଷାରେ ପୁରୁଷୋତ୍ତମପୁର, ଖଲ୍ଲିକୋଟ, ସୋରଡା, ଆସିକା, ଦିଗପହଣ୍ଡି, ଧରାକୋଟ, ପୋଲୋସରା, କବିସୂର୍ଯ୍ୟନଗର ବ୍ଲକ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।
ଚାଷୀଙ୍କ ବର୍ଷକର ପରିଶ୍ରମ ବର୍ଷାରେ ଧୋଇ ଯାଇଥିବା ବେଳେ ଧାନ ଚାଷ ସହ ବହୁ ପନି ପରିବା ଫସଲ ନଷ୍ଟ ହୋଇଛି । କ୍ଷତିପୂରଣ ପାଇଁ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଚାଷୀ ।
ସେପଟେ ଗଜପତିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ବିଲରେ ପାଣିରେ ଭାସୁଛି ପାଚିଲା ଧାନ । ଫସଲ ସୁରକ୍ଷା ନେଇ ଏବେ ଚିନ୍ତାରେ ଚାଷୀ । ଗତ ଦୁଇ ଦିନ ଧରି ମେଘୁଆ ପାଗ ସହ ବର୍ଷା ଲାଗି ରହିଥିବା ବେଳେ ଗଜପତି ଜିଲ୍ଲାରେ ଚାଷ ଜମି ଜଳମଗ୍ନ ହୋଇଛି । ଅନେକ ସ୍ଥାନରେ ଚାଷୀ ଧାନ କାଟି ଜମିରେ ରଖିଥିବା ବେଳେ ଏବେ ଏହା ଗଜା ହେବାକୁ ବସିଲାଣି । ଏଭଳି ସ୍ଥିତିରେ ଚାଷୀ କିଭଳି ନିଜର ଫସଲକୁ ସୁରକ୍ଷା ଦେବ ତାକୁ ନେଇ ଚିନ୍ତାରେ ପଡିଛି ।
ପୁଣି ପାଣିପାଗ ବିଭାଗର ସୂଚନାନୁଯାୟୀ, ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ଘନିଭୂତ ହୋଇଛି । ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଏବଂ ଥାଇଲାଣ୍ଡ ଉପକୂଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତା ୧୫ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଅବପାତରେ ପରିଣତ ହେବ । ପରେ ଅଧିକ ଘନିଭୂତ ହୋଇ ଆନ୍ଧ୍ର ଉପକୂଳ ଛୁଇଁବ ।
ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । 16 ତାରିଖରୁ ଦକ୍ଷିଣ ଓଡିଶାରେ ବର୍ଷା ପରିମାଣ ବୃଦ୍ଧି ପାଇପାରେ । 17ରେ ଗଞ୍ଜାମ ଏବଂ ଗଜପତିରେ ଭାରି ବର୍ଷା ନେଇ ପୂର୍ବାନୁମାନ ହୋଇଛି । ଯାହା ବେଡି ଉପରେ କୋରଡା ମାଡ ଭଳି । 19 ଓ 20 ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ମେଘୁଆ ପାଗ ରହିବ ।
ସେପଟେ ଆଜି ପାଇଁ ରାଜ୍ୟର ୭ ଜିଲ୍ଲା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କଟକ, ନୟାଗଡ଼, ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


