Saturday, November 14, 2026
Home ଆଞ୍ଚଳିକ ତୈଳ ଅନିୟମିତତା ଅଭିଯୋଗ ପରେ ହିଞ୍ଜିଳି ଏସାର ଫିଲିଙ୍ଗ ଷ୍ଟେସନକୁ ତଦନ୍ତ କଲା ବୈଧ ମାପବିଜ୍ଞାନ...

ତୈଳ ଅନିୟମିତତା ଅଭିଯୋଗ ପରେ ହିଞ୍ଜିଳି ଏସାର ଫିଲିଙ୍ଗ ଷ୍ଟେସନକୁ ତଦନ୍ତ କଲା ବୈଧ ମାପବିଜ୍ଞାନ ବିଭାଗ

8

ହିଂଜିଳି କାଟୁ, ୧୨/୧୧/୨୧(ଜିଲ୍ଲା ଖବର):ପେଟ୍ରୋଲ ମାପ କମ ଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବ ପରେ, ହିଞ୍ଜିଳିକାଟୁ ନୂଆ ସାରୁ ରେ ଥିବା ଏସାର ପେଟ୍ରୋଲ ପମ୍ପର ତୈଳ ମାପକୁ ତଦନ୍ତ କରିଛନ୍ତି ବୈଧ ମାପବିଜ୍ଞାନ ବିଭାଗର ଦୁଇଜଣ ବରିଷ୍ଟ ଅଧିକାରୀ। ଘଟଣାରୁ ପ୍ରକାଶ ଯେ, ଗତ ମଙ୍ଗଳବାର ପୂର୍ବାହ୍ନରେ ତୈଳ ମାପ କମ ଥିବା ନେଇ ସାରୁ ଗ୍ରାମର ଦୁଇ ଜଣ ଯୁବକ ରୁନା ସ୍ବାଇଁ ଓ କୁନା ସ୍ବାଇଁ ଉକ୍ତ ପମ୍ପର କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। କିନ୍ତୁ ବୁଝାସୁଝା କରିବା ପରେ ମଧ୍ୟ ଉକ୍ତ ଦୁଇ ଯୁବକଙ୍କ ସହ ସାରୁ ଗ୍ରାମର କାଳିଆ ସ୍ୱାଇଁ, ମାଗତି ଦାସ, ବୁଲୁ ରାଉଳ ଓ ଅନ୍ୟ ୧୫ ଜଣ ଯୁବକ ସଂଘବଧ ଭାବେ ଆକ୍ରମଣ, ଭଙ୍ଗାରୁଜା କରିବା ସହ ଏକ ସୁନା ଚେନ ଓ ନଗଦ ୪ ହଜାର ଟଙ୍କା ଛଡାଇ ନେଇଯାଇଥିବା ନେଇ ପମ୍ପ ମାଲିକଙ୍କ ପୁଅ ସୁମିତ ପାଣିଗ୍ରାହୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ରୁନା ସ୍ବାଇଁ ମଧ୍ୟ ସୁମିତଙ୍କ ନାମରେ ଆକ୍ରମଣ ଓ ମାରପିଟ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ହିଞ୍ଜିଳି ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତୈଳ ଅନିୟମିତତା ଅଭିଯୋଗ ପରେ ବୈଧ ମାପବିଜ୍ଞାନ ବିଭାଗର ଦୁଇ ଜଣ ବରିଷ୍ଟ ନିରୀକ୍ଷକ ସବିତା ପଣ୍ଡା ଓ ସତ୍ୟଜିତ ବିଶ୍ୱାଳ ଶୁକ୍ରବାର ଅପରାହ୍ନରେ ଏସାର କମ୍ପାନୀର କ୍ଷେତ୍ରିୟ ପ୍ରବନ୍ଧକ ଶକ୍ତିରାଜ ମହାପାତ୍ରଙ୍କ ଉପସ୍ଥିତିରେ ଉକ୍ତ ପେଟ୍ରୋଲ ପମ୍ପରେ ପହଞ୍ଚି ୪ଟି ନୋଜଲ, ୪ଟି ଡିସପ୍ଲେ ସହିତ ମୋଟ ୩୨ ଲିଟର ପେଟ୍ରୋଲ ଓ ୨୩ ଲିଟର ଡିଜେଲକୁ ଯାଞ୍ଚ କରିଥିଲେ। ଉକ୍ତ ଦୁଇ ଅଧିକାରୀ ସମସ୍ତ ସିଲ ନମ୍ବରକୁ ପରୀକ୍ଷା କରିବା ସହ ତୈଳ ନିର୍ଗମନ ମାପ ଠିକ ଥିବା ନେଇ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଭାଇରଲ ଭିଡ଼ିଓ ଉଧେଶ୍ୟ ପ୍ରଣୋଦିତ ଓ ପମ୍ପକୁ ବଦନାମ କରିବା ପାଇଁ କିଛି ଖଳ ପ୍ରକୃତିର ଲୋକଙ୍କ ଚକ୍ରାନ୍ତ ଥିଲା ବୋଲି ଏସାର ଫିଲିଙ୍ଗ ଷ୍ଟେସନ ମାଲିକ ସନ୍ତୋଷ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି।
ରିପୋର୍ଟ : ତାପସ କୁମାର ପଣ୍ଡା