Wednesday, November 11, 2026
Home ଆଞ୍ଚଳିକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା, କଙ୍ଗନାଙ୍କର ଏମିତି ଥିଲା ସଂଘର୍ଷର କାହାଣୀ

ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା, କଙ୍ଗନାଙ୍କର ଏମିତି ଥିଲା ସଂଘର୍ଷର କାହାଣୀ

8

ନୂଆଦିଲ୍ଲୀ , ୦୯/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ କଙ୍ଗନାଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। କଙ୍ଗନାଙ୍କ ବ୍ୟତୀତ ଗାୟକ ଅଦନାନ ସାମୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ କଙ୍ଗନା ରାଣାୱତଙ୍କୁ ପ୍ରସସ୍ତୀ ପତ୍ର ଓ ପଦ୍ମଶ୍ରୀ ସମ୍ମାନ ଦେଇ ସମ୍ମାନୀତ କରିଛନ୍ତି ।

ସମ୍ମାନ ଗ୍ରହଣ ସମୟରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ସମସ୍ତଙ୍କୁ କଙ୍ଗନା ଅଭିବାଦନ ଜଣେଇଥିଲେ। ତେବେ ଏହି ସମ୍ମାନକୁ ନେଇ କଙ୍ଗନା କହିଛନ୍ତି ଯେ “ମୁ ବହୁତ ଖୁସୀ ଓ ମୁଁ ବହୁତ ସମ୍ମାନୀତ ଅନୁଭବ କରୁଛି। ଏହି ସମ୍ମାନ ନେଇ ମୁଁ ମୋ ଦେଶକୁ ଧନ୍ୟବାଦ ଦେଉଛି ଏବଂ ଏହି ସମ୍ମାନକୁ ମୁଁ ସେହି ସବୁ ମହିଳାଙ୍କୁ ସମର୍ପିତ କରୁଛି ଯେଉଁମାନେ ସ୍ୱପ୍ନ ଦେଖୁଛନ୍ତି ଓ ସାହସ ବାନ୍ଧିଛନ୍ତି। ସବୁ ଝିଅ, ସବୁ ମା ଓ ସେହି ମହିଳାଙ୍କ ସ୍ୱପ୍ନ ପାଇଁ ଯିଏ ଆମ ଦେଶର ଭବିଷ୍ୟତକୁ ଆକାର ଦେବେ।”

ତେବେ କଙ୍ଗନା ଆଜି ଯେଉଁ ସଫଳତାରେ ପହଞ୍ଚିଛନ୍ତି, ଏଠାରେ ପହଞ୍ଚିବା ତାଙ୍କ ପାଇଁ ଏତେ ସହଜ ନଥିଲା । ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ତେବେ ଆସନ୍ତୁ ଜାଣିବା ତାଙ୍କର ସେହି ସଂଘର୍ଷମୟ କାହାଣୀ ବିଷୟରେ ।

୨୩ ମାର୍ଚ୍ଚ ୧୯୮୬ରେ ହିମାଚଳ ପ୍ରଦେଶର ଭାଂଭଲାରେ ଏକ ରାଜପୁତ୍  ପରିବାରରେ ଜନ୍ମଗ୍ରହଣ କରିଥିଲେ କଙ୍ଗନା ରାଣାଓ୍ବତ । ଚଣ୍ଡିଗଡରେ ସେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ଏହାପରେ ମାତ୍ର ୧୬ ବର୍ଷ ବୟସରେ , ସେ ଚଣ୍ଡିଗଡରୁ ଦିଲ୍ଲୀ ପଳାଇ ଆସିଥିଲେ । କାହିଁକି ନାଁ, ତାଙ୍କର ଇଚ୍ଛା ଥିଲା ସେ ଜଣେ ମଡେଲ ହେବେ ।  

ତାଙ୍କ ବାପା-ମା’ କଙ୍ଗନା ଡାକ୍ତର ହୁଅନ୍ତୁ ବୋଲି ଚାହୁଁଥିଲେ । ତାଙ୍କ ଘରେ ପଢାଲେଖାର ମାହୋଲ ରହିଥିଲା । କଙ୍ଗନା ମଧ୍ୟ ଡାକ୍ତର ହେବେ ବୋଲି ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ କିନ୍ତୁ ଦ୍ବାଦଶରେ  ଏକ ମାସିକିଆ ପରୀକ୍ଷାରେ ରସାୟନ ବିଜ୍ଞାନରେ ଫେଲ୍‌ ହେବା ପରେ, ସର୍ବଭାରତୀୟ ମେଡିକାଲ୍‌ ପରୀକ୍ଷା ପାଇଁ ପଢ଼ି ନ ଥିଲେ । ଆଉ ଏହାପରେ ସେ ଗ୍ଲାମର ଦୁନିଆର ସ୍ବପ୍ନ ଦେଖିଥିଲେ ।

କିନ୍ତୁ ଘରେ ପାଠପଢାର ମାହୋଲ ରହିଥିବା ବେଳେ, କଙ୍ଗନା ଗ୍ଲାମର ଦୁନିଆ ପାଇଁ ସ୍ବପ୍ନ ଦେଖିଥିଲେ । ଏହାପରେ ତାଙ୍କ ମା’ ତାଙ୍କର ବାହାଘର କରିବା ପାଇଁ ପ୍ରସ୍ତୁତ  ହେଉଥିବା ଜାଣି, ସେ ମାତ୍ର ୧୬ ବର୍ଷ ବୟସରେ ଘର ଛାଡି  ଏକ ମଡେଲିଂ  ଏଜେନ୍ସିରେ ଯୋଗ ଦେଇଥିଲେ । ଆଉ ସେତେବେଳେ ଘରୁ ତାଙ୍କୁ ଟଙ୍କା ଦେବା ମଧ୍ୟ ବନ୍ଦ କରିଦେଲେ । ଆଉ ଏହାପରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା । କେବଳ ଏତିକି ନୁହେଁ, ଭଲଭାବେ ଇଂରାଜୀ ଜାଣି ନଥିବାରୁ ତାଙ୍କର ଅନେକ ଥଟ୍ଟା କରାଯାଉଥିଲା । ହେଲେ ସେ କେବେ ହାର ମାନି ନଥିଲେ । ସେ ଏକ ମଡେଲିଂ ସଂସ୍ଥାରେ ଯୋଗ ଦେଇ କାମ କରିଥିଲେ । ଧିରେଧିରେ ସେ ଅନେକ ମଡେଲିଂ କାମ ହାତକୁ ନେଇଥିଲେ । ଏଥିରେ କିଛି ଦିନ କାମ କରିବା ପରେ ସେ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ ।

ଏହାପରେ ଅଭିନୟ ଶିକ୍ଷା ପାଇଁ କଙ୍ଗନା ଅସ୍ମିତା ନାଟ୍ୟସଂସ୍ଥାରେ ଯୋଗ ଦେଇଥିଲେ ।  ମଞ୍ଚ ନାଟକରେ ଦର୍ଶକଙ୍କର ସକାରାତ୍ମକ ମତାମତ କଙ୍ଗନାଙ୍କୁ ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରେରିତ କରିଥିଲା। ନିଜର ପରବର୍ତ୍ତି ସ୍ୱପ୍ନକୁ ବଲିଉଡରେ ସାକାର କରିବା ନେଇ ସେ ମୁମ୍ବାଇ ଚାଲିଆସିଥିଲେ। ଏଠି ସେ ଆଶା ଚନ୍ଦ୍ରଙ୍କର ଡ୍ରାମା ସ୍କୁଲ୍‌ରେ ଚାରିମାସ ପାଇଁ ଅଭିନୟ ଶିଖିଥିଲେ।

ସେ ଧିରେ ଧିରେ ଆଗକୁ ବଢୁଥିଲେ ସତ, କିନ୍ତୁ ସେତେବେଳେ ତାଙ୍କ ପାଖରେ  ଅର୍ଥର ଅଭାବ ରହିଥିଲା । ଯେଉଁଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକ ପଡୁଥିଲା । ଏମିତିବି ଦିନ ଥିଲା, ସେ ଖାଲି ପାଉଁରୁଟି ଆଚାର ଖାଇ ରହୁଥିଲେ । ତଥାପି ସେ ଘର ଲୋକଙ୍କ ଠାରୁ ସାହାଯ୍ୟ ମାଗି ନଥିଲେ । ଅନ୍ୟପଟେ କଙ୍ଗନା ଏହି କ୍ଷେତ୍ରରେ ପାଦ ଥାପି ଥିବାରୁ ଏହାକୁ ପସନ୍ଦ କରୁଥିଲେ ତାଙ୍କ ପରିବାର । ତେଣୁ ତାଙ୍କ ସହ କିଛି ବର୍ଷ ଯାଏ ସମ୍ପର୍କ ମଧ୍ୟ ରଖି ନଥିଲେ । କିନ୍ତୁ କଙ୍ଗନା ଫିଲ୍ମ ଦୁନିଆରେ ସଫଳତା ହାସଲ କରିବା ପରେ , ତାଙ୍କ ପରିବାର ଲୋକେ ତାଙ୍କୁ ପୁଣି ଥରେ ଆପଣାଇଥିଲେ । ଆଉ ଆଜି ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଆଉ ସେ ତାଙ୍କ କ୍ୟାରିୟରରେ ଅନେକ ସମ୍ମାନରେ ସମ୍ନାନିତ ମଧ୍ୟ ହୋଇଛନ୍ତି । ତେବେ ଏପରି ଥିଲା କଙ୍ଗନାଙ୍କ ସଂଘର୍ଷମୟ କାହାଣୀ ।