
୦୭/୧୧/୨୧ (ଜିଲ୍ଲା ଖବର) : ଆଜି ବସିବ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବିଭିନ୍ନ ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ସହିତ ରାଜ୍ୟର ପାର୍ଟି ଅଧ୍ୟକ୍ଷ ଓ ମହାସଚିବ ସାମିଲ ହେବେ।
ସକାଳ 9ଟାରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକାରିଣୀ ବୈଠକ ଅପରାହ୍ଣ 4ଟାଏଁ ଚାଲିବ ବୋଲି ସୂଚନା ମିଳିଛି । ବୈଠକରେ ଆଗାମୀ ବର୍ଷରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା ହେବ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ୧୦୦ କୋଟି ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ପ୍ରସ୍ତାବ ପାରିତ ହେବ ବୋଲି ସୂଚନା ମିଳିଛି । ଏହି ଦିନିକିଆ ବୈଠକରେ ଚଳିତ ବର୍ଷ ସରକାରଙ୍କ କରୋନା ସହିତ ମୁକାବିଲା, ଟିକାକରଣ ଏବଂ ଅର୍ଥନୀତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି।
କରୋନା ପାଇଁ ଦୁଇ ବର୍ଷ ପରେ ହେବାକୁ ଥିବା ଏହା ବିଜେପିର ପ୍ରଥମ ହ୍ରାଇବ୍ରିଡ୍ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି । କୋଭିଡ ପ୍ରୋଟକଲରୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସଂପାଦକ, ସମ୍ବନ୍ଧିତ ରାଜ୍ୟର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନିଜ ନିଜର ରାଜ୍ୟର ପାର୍ଟି ମୁଖ୍ୟାଳୟରୁ ଭର୍ଚୁଆଲରେ ବୈଠକରେ ସାମିଲ୍ ହେବେ। ଅନ୍ୟପଟେ ଜାତୀୟ ପଦାଧିକାରୀ, କେନ୍ଦ୍ର ମନ୍ତ୍ରୀ ଓ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଏନଡିଏମସି କନଭେନସନ ସେଣ୍ଟରରେ ପ୍ରତ୍ୟେକ୍ଷ ଭାବେ ବୈଠକରେ ଯୋଗ ଦେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରୁ ସମ୍ବୋଧିତ କରି ସରକାରଙ୍କ ଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ସାଧାରଣ ଜନତା ଓ କର୍ମୀଙ୍କ ନିକଟରେ ପହଞ୍ଚିପାରିବ ସେନେଇ ବିଜେପି ନେତାମାନଙ୍କୁ ମନ୍ତ୍ର ଦେବେ ବୋଲି ଜଣାପଡିଛି।


