
୦୬/୧୧/୨୧ (ଜିଲ୍ଲା ଖବର) : ଦୀପାବଳି ପରେ ଦିଲ୍ଲୀରେ ଜାରି ରହିଛି ବାୟୁ ପ୍ରଦୂଷଣ । ଦୀପାବଳି ପରେ ମଧ୍ୟ ଦିଲ୍ଲୀରେ ଫୁଟୁଚି ବାଣ । ଗତକାଲି ମଧ୍ୟରାତ୍ରି ପର୍ଯ୍ୟନ୍ତ ମଧ୍ୟ ଅନେକ ସ୍ଥାନରେ ବାଣ ଫୁଟାଇଛନ୍ତି ଦିଲ୍ଲୀବାସୀ ।
ପ୍ରଶାସନର ନିୟମକୁ ଫୁ କରିଛନ୍ତି ଲୋକେ । ଦୀପାବଳି ପରେ ବାୟୁ ପ୍ରଦୂଷଣ ଅତି ଖରାପ ଶ୍ରେଣୀକୁ ଚାଲିଯାଇଥିଲା । ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଆଜି ଏୟାର କ୍ୱାଲିଟି ଇଣ୍ଡେକ୍ସ ରହିଛି 533 ।
ବାଣ ଫୁଟାଇବା ନେଇ ଜାରି ହୋଇଥିବା କଟକଣା ଉଲ୍ଲଙ୍ଘନ କରିଥିବାରୁ ଦିଲ୍ଲୀରେ ଅତି ସାଂଘାତିକ ସ୍ଥିତି ଦେଖାଦେଇଛି । ଏବଂ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ ଭିତରେ ଦିଲ୍ଲୀରେ ଗତ ୩ ବର୍ଷ ମଧ୍ୟରେ ସର୍ବାଧିକ ପ୍ରଦୂଷଣ ଦେଖିବାକୁ ମିଳିଛି ।
ଦିଲ୍ଲୀରେ ବାୟୁର ମାନ ଖରାପରୁ ଅତି ଖରାପ ସ୍ତରରେ ପହଞ୍ଚିବା ନେଇ ପରିବେଶବିତ୍ ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ସେଥିପାଇଁ ସରକାର କେତେକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।
ଅଧିକାଂଶ ସ୍ଥାନରେ ବାୟୁର ସୂଚକାଙ୍କ 451 ରହିଛି । ଏକ୍ୟୁଆଇ ଶୂନରୁ 50 ମଧ୍ୟରେ ରହିବା ଭଲ । 51 ରୁ 100 ମଧ୍ୟରେ ରହିବା ସନ୍ତୋଷଜନକ । 101ରୁ 200 ମଧ୍ୟରେ ରହିବା ମଧ୍ୟମ ସ୍ତର, 201 ରୁ 300 ମଧ୍ୟରେ ରହିବା ଖରାପ । 301 ରୁ 400 ମଧ୍ୟରେ ରହିବା ଅତି ଖରାପ । ଏବଂ 401 ରୁ 500 ରହିବା ଅତି ସାଙ୍ଘାତିକ ।


