ସଡକ ସୁରକ୍ଷା ସପ୍ତାହ ପାଳନ: ଅବସରରେ ବେଗୁନିଆପଡ଼ାରେ ସଚେତନତା କାର୍ଯ୍ୟକ୍ରମ

35

କୋଦଳା ,୧୯/୮(ଏଜେନସି ) : ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଚାଲିଥିବା ବେଳେ ସୋମବାର ବେଗୁନିଆପଡ଼ା କଲ୍ଯାଣ ମଣ୍ଡପ ଠାରେ ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଦଳା ଥାନା ଓ ବେଗୁନିଆପଡ଼ା ଫାଣ୍ଡି ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟ ଓ ଜନତା ବିଜ୍ଞାନ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏଥି ସହିତ କୋଦଳା, ବେଗୁନିଆପଡ଼ା, ସୁମଣ୍ଡଳର ସମସ୍ତ ଅଟୋ ଆସୋସିଏସନ୍ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏନେଇ ଏକ ବିଶାଳକାୟ ସଚେତନତା ଶୋଭାଯାତ୍ରା ବ୍ଲକ ସମ୍ମୁଖରୁ ବାହାରି ବେଗୁନିଆପଡ଼ା ବଜାର ପରିକ୍ରମା କରିଥିଲା। ପୁରୁଷୋତ୍ତମପୁର ଏସ୍ ଡି ପିଓ ନିମାଇଁ ଚରଣ ସେଠୀ ଓ କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ନୀଳ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।
ଦିନକୁ ଦିନ ଗାଡି ମୋଟର ଓ ଯାନବାହାନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ବେଳେ ସଚେତନତା ଅଭାବରୁ ଅଜାଣତରେ ଅନେକ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି ଏବଂ ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଟ୍ରାଫିକ୍ ନିୟମକୁ କଡାକଡି ଭାବେ ପାଳନ କରିବା ସହ ହେଲମେଟ୍ ବ୍ଯବହାର, ମଦପିଇ ଗାଡି ନ ଚଳାଇବା, ଗାଡି ଚାଳନା ବେଳେ ମୋବାଇଲ୍ ଫୋନ୍ ରେ କଥା ନହେବା ଭଳି ଗୁରୁତ୍ବପୂର୍ଣ୍ଣ ବିଷୟକୁ ଧ୍ଯାନ ଦେଲେ ଅନେକ ଦୁର୍ଘଟଣାକୁ ରୋକିବା ସହିତ ଅମୂଲ୍ୟ ଜୀବନ ରକ୍ଷା ହୋଇ ପାରିବ ବୋଲି ଆୟୋଜିତ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।