Tuesday, November 17, 2026
Home ଆଞ୍ଚଳିକ ଗୁଣପୁର ମହାବିଦ୍ୟାଳୟରେ ଆୟୋଜିତ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମ

ଗୁଣପୁର ମହାବିଦ୍ୟାଳୟରେ ଆୟୋଜିତ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମ

28

ଗୁଣପୁର , ୦୩/୧୧(ଜିଲ୍ଲା ଖବର):ଗୁଣପୁର ମହାବିଦ୍ୟାଳୟରେ ଆୟୋଜିତ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମର ତୃତୀୟ ଦିବସର ପରିସମାପ୍ତି ଘଟିଛି । +3 ପ୍ରଥମ ବର୍ଷ ନବାଗତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ସପ୍ତାହ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ତଥା ବକ୍ତା ଭାବରେ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ସେ ତାଙ୍କ ବକ୍ତବ୍ଯରେ ସମସ୍ତ ବିଦ୍ଯାର୍ଥୀଙ୍କୁ ମିତ୍ର ବୋଲି ସମ୍ବୋଧନ କରି ତାହାର ଯୌକ୍ତିକତା ଦର୍ଶାଇଥିଲେ । ଏହା ସହିତ ଗୀତା, ରାମାୟଣ, ମହାଭାରତ ପ୍ରଭୃତି ଗ୍ରନ୍ଥରୁ ଉଦାହରଣମାନ ଉଦ୍ଧାର କରି ଉତ୍ତମ ଚରିତ୍ର ଗଠନ କରିବାର ଉପଯୁକ୍ତ ମାର୍ଗ ନିର୍ଦ୍ଦେଶ କରିଥିଲେ । ଦୀକ୍ଷାରମ୍ଭ କାର୍ଯ୍ୟକ୍ରମର ସଂଯୋଜକ ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦୀକ୍ଷାରମ୍ଭ କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ସଭାରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, ଆଇକ୍ଯୁଏସି ସଂଯୋଜକ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ପ୍ରାଧ୍ୟାପକ ନିରଞ୍ଜନ ଚାନ୍ଦ, ଦୀକ୍ଷାରମ୍ଭ କାର୍ଯ୍ୟକ୍ରମର ସହ ସଂଯୋଜକ ଅଧ୍ୟାପକ ଡକ୍ଟର ସତ୍ଯବାନ ଗରଡ଼ା ଓ ଶ୍ରୀଯୁକ୍ତ ପ୍ରସନ୍ନକୁମାର ମିଶ୍ର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ପରିଶେଷରେ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କୁ ଗୁଣପୁର ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା
ରିପୋର୍ଟ : ରାମନାଥ ମହାନ୍ତି