
ନୂଆଦିଲ୍ଲୀ, ୦୨/୧୧/୨୧ (ଜିଲ୍ଲା ଖବର) : ନିକଟରେ ହୃଦଘାତରେ ଆରପାରିକୁ ଚାଲି ଯାଇଛନ୍ତି ସାଉଥ ଅଭିନେତା ପୁନିତ୍ ରାଜକୁମାର । ତେବେ ତାଙ୍କର ଏପରି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । କେବଳ ଅଭିନୟ ନୁହେଁ, ବରଂ ଏହା ସହିତ ସେ ଅନେକ ସାମାଜିକ କାମରେ ଲିପ୍ତ ଥିଲେ । ଏପରିକି ସେ ତାଙ୍କ ପିତା ରାଜକୁମାରଙ୍କ ସାମାଜିକ କାର୍ଯ୍ୟକୁ ଆଗକୁ ବଢ଼ାଇ ୪୫ଟି ମାଗଣା ସ୍କୁଲ, ୨୬ଟି ଅନାଥ ଆଶ୍ରମ, ୧୯ଟି ଗୋଶାଳା ସମେତ ୧୬ଟି ଵୃଦ୍ଧାଶ୍ରମର ଦାୟିତ୍ୱ ନେଇଥିଲେ। ଗତ ବର୍ଷ ସେ ୧୮୦୦ ଛାତ୍ରଛାତ୍ରୀଙ୍କୁ ପଢାଇବା ଦାୟିତ୍ୱ ମଧ୍ୟ ନେଇଥିଲେ।
ତେବେ ପୁନିତଙ୍କ ଦେହାନ୍ତ ପରେ ତାମିଲ ଅଭିନେତା ବିଶାଲ କହିଛନ୍ତି ଯେ, କନ୍ନଡ ସୁପରଷ୍ଟାର ପୁନିତ୍ ରାଜକୁମାରଙ୍କ ସାମାଜିକ ସେବା କାର୍ଯ୍ୟକଳାପକୁ ସେ ଜାରି ରଖିବେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏକ ସମାରୋହରେ ସାମିଲ ହୋଇ ଵିଶାଲ କହିଛନ୍ତି ଯେ, ସେ ପୁନିତ ରାଜକୁମାରଙ୍କ ସମାଜ ସେବା କାର୍ଯ୍ୟ ଜାରି ରଖିବେ । ସେ ସେହି ୧୮୦୦ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ, ଯିଏ ପୁନିତଙ୍କ ପରିବାର । ପୁନିତଙ୍କ ଦେହାନ୍ତ ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ସମାଜ ପାଇଁ ଏକ ବଡ କ୍ଷତି ବୋଲି ସେ କହିଛନ୍ତି । ଫିଲ୍ମ ଉଦ୍ୟୋଗ ପାଇଁ ସେ ବହୁତ କିଛି କରିଛନ୍ତି ଓ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଗୌରବ ଥିଲେ ବୋଲି କହିଛନ୍ତି ।


