
ଭୁବନେଶ୍ୱର , ୦୨/୧୧/୨୧ (ଜିଲ୍ଲା ଖବର) : ସୌମ୍ୟଙ୍କ ସଂପାଦକୀୟର ଜବାବ୍ ସଂପାଦକୀୟରେ । ଚାଲିଛି ଆର୍ଟିକଲ ୱାର୍ । ନିଜ ସଂପାଦକୀୟରେ ବିଜେଡିର ବିଧାୟକ ସୌମ୍ୟପଟ୍ଟନାୟକ ବିଜେଡି ସରକାର ଓ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଟାକ କରିଥିଲେ । ସେ ଲେଖିଥିଲେ ବୃତ୍ତି, ପାର୍ଟି ଆଉ ମାଟି । ଏବେ ଏହାକୁ କାଉଣ୍ଟର କରି ଲେଖାଯାଇଛି, ମାଟି ପାର୍ଟି ମିଛ, ବ୍ୟକ୍ତିଗତ ସ୍ୱାର୍ଥ ଆଗ ।
ଖବରକାଗଜର ସ୍ତମ୍ଭରେ ଲେଖାଯାଇଛି ଏବେ ରାଜନୀତି ଓ ନିଜ ପ୍ରତିପତ୍ତି ଲାଗି କିଛି ସମ୍ବାଦପତ୍ରର ସଂପାଦକ ଗଣମାଧ୍ୟମକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ସତ୍ୟାଗ୍ରହୀ ବୋଲି ସତ୍ୟ ଉନ୍ମୋଚନ ନାଁରେ ପାଠକଙ୍କୁ ବିଭ୍ରାନ୍ତି କରିବା ପାଇଁ ରୀତିମତ କସରତ କରୁଛନ୍ତି । ଏହାକୁ କୁହାଯାଏ ଆତ୍ମ ପ୍ରତାରଣା । ଯେଉଁଥିପାଇଁ ସୃଷ୍ଟି ହୁଏ ବିଚାର ବିଭ୍ରାଟ । ଲକ୍ଷ୍ୟହୀନ କ୍ଷେପଣାସ୍ତ୍ର ପରି ମହାକାଶରେ ଏଣେତେଣେ ଗତି କରନ୍ତି । ନିଜ ସ୍ୱାର୍ଥ ଲାଗି ଆପଣାର ଲୋକଙ୍କୁ ବି ପର କରିବାରେ ସେମାନଙ୍କୁ ମୁହୂର୍ତ୍ତଟିଏ ଲାଗେନି ।
ଗରିବ ଚିଟଫଣ୍ଡ ଜମାକାରୀଙ୍କ ବିଶ୍ୱାସକୁ ଭାଙ୍ଗି, ଚାଷୀଙ୍କ ପ୍ରେଷ୍ଟିଜ, ପ୍ରାଇସ ପେନସନକୁ ଶିଢ଼ି କରି କ୍ଷମତାର ଅଳିନ୍ଦର ନୀକଟବର୍ତ୍ତୀ ହେବା ବା ରାଜନୈତିକ ସ୍ୱାର୍ଥ ହାସଲ କରିବା ସେମାନଙ୍କ ପାଇଁ ଅତି ସାଧାରଣ କଥା । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏକଦା ଯେଉଁ ବ୍ୟକ୍ତି ଗୋଟିଏ କୋଠରୀ ମଧ୍ୟରେ ସ୍ଥିର ଭାବରେ ବସିପାରୁନାହିଁ ଘଡ଼ିକି ଘଡ଼ି ଚଉକିର ମୁହଁ ବଦଳାଇଛି ସେ ଜୀବନରେ ଲକ୍ଷ୍ୟସ୍ଥଳରେ କେବେ ପହଁଚିପାରିବ ନାହିଁ । ସମର୍ପଣ ମଧ୍ୟରେ ରହିଥିବା ବିଭେଦ ପରି ମାଟି ଓ ପାର୍ଟି ମଧ୍ୟରେ କେବେ ବିଚାରଗତ ସନ୍ଦେହ ରହିବା କଥା ନୁହେଁ ।


