
ଗୁଣପୁର,୦୧/୧୧/୨୧(ଜିଲ୍ଲା ଖବର): ଗୁଣପୁର ମହାବିଦ୍ୟାଳୟରେ +3 ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କୁ ଆଜି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ସହିତ ଏକ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ସଭାପତିତ୍ବ କରିଥିଲେ ଏବଂ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଜଣାଇଥିଲେ । ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଜଣାଇ ମହାବିଦ୍ୟାଳୟରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ଉପରେ ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଗଠନ କିପରି ସମ୍ଭବ ହେବ ସେ ଉପରେ ଆଲୋକପାତ କରିଥିଲେ । ସେହିପରି ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଓ ସଂସ୍କୃତି ସଂପର୍କରେ ସଚେତନ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ୍ ପସନ୍ଦ ଓ ଆସ୍ଥା ଭିତ୍ତିକ ପାଠ୍ଯଖସଡ଼ା ତଥା ପରୀକ୍ଷା ପ୍ରଣାଳୀ ଉପରେ ବକ୍ତବ୍ଯ ରଖିଥିଲେ । ଆଇକ୍ଯୁଏସି ସଂଯୋଜକ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ବକ୍ତବ୍ଯ ଉପସ୍ଥାପନ କରିଥିବା ବେଳେ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଅନଲାଇନ୍ ଶିକ୍ଷା ସମ୍ବନ୍ଧରେ ପ୍ରଚଳିତ ବିଭିନ୍ନ ୱେବସାଇଟ୍ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରିଶେଷରେ ଦୀକ୍ଷା କାର୍ଯ୍ୟକ୍ରମର ସହ ସଂଯୋଜକ ଅଧ୍ୟାପକ ଡକ୍ଟର ସତ୍ଯବାନ ଗରଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟାପକ ନିରଞ୍ଜନ ଚାନ୍ଦ, ଅଧ୍ୟାପକ ଅଗାଧୁ ଶବର, ଅଧ୍ୟାପକ ଶ୍ଯାମସୁନ୍ଦର ମହନ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ : ରାମନାଥ ମହାନ୍ତି




