
୩୧/୧୦/୨୧ (ଜିଲ୍ଲା ଖବର) : ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ଜି-୨୦ ଶିଖର ସମ୍ମିଳନୀ । ଏଥରର ବିଷୟବସ୍ତୁ ପିପୁଲ, ପ୍ଲାନେଟ୍ , ପ୍ରସ୍ପରିଟି । ଏହି ପ୍ରସଙ୍ଗରେ ନିଜର ବିଚାର ରଖିବାକୁ ପ୍ରସ୍ତୁତ ରହିଛି ଜି-୨୦ର ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର ଭାରତ । ଜି-୨୦ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ଅନ୍ୟ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ସହ ଏକାଠି ଫଟୋ ସେସନରେ ଯୋଗ ଦେଇଥିଲେ ମୋଦି । ସମ୍ମିଳନୀର ଦ୍ୱିତୀୟ ଦିନରେ ଫ୍ରାନ୍ସ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟଙ୍କ ସହ ବ୍ୟକ୍ତିଗତ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ ରହିଥିବାର ଜଣାପଡ଼ିଛି ।
ଅନ୍ୟପଟେ ସମ୍ମିଳନୀ ପୂର୍ବରୁ ବିଭିନ୍ନ ବିଶ୍ୱ ନେତାଙ୍କ ସମେତ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ମଧ୍ୟ ଭେଟିଛନ୍ତି ମୋଦି । ରୋମରେ ପହଁଥିବା ପରେ ପ୍ରଥମଦିନ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କୁ ସ୍ୱାଗତ ଜଣାଇଥିଲେ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି । ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲେଚନା ହୋଇଥିଲା । ଏହା ବ୍ୟତୀତ ପ୍ରଥମ ଦିନରେ ଅନ୍ୟ କେତେକ ବିଶ୍ୱନେତାଙ୍କ ସହ ମଧ୍ୟ ମୋଦିଙ୍କ ସାକ୍ଷାତ ଆଲୋଚନା ହୋଇଥିବାର ଜଣାପଡ଼ିଛି ।
ଦ୍ୱିତୀୟ ଦିନରେ ମୋଦି ଭାଟିକାନ୍ ସିଟିରେ ପହଁଚି ଖ୍ରୀଷ୍ଟ ଜଗତର ଶିର୍ଷ ଧର୍ମଗୁରୁ ପୋପ୍ ଫ୍ରାନ୍ସିସିସଙ୍କୁ ଭେଟିଥିଲେ । ଏହି ଅବସରରେ ତାଙ୍କୁ ଭାଟିକାନ୍ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ଅନେକ ବର୍ଷର ଅବଧୀ ପରେ କୈାଣସି ଭାରତୀୟ ପ୍ରଧାନମନ୍ତ୍ରୀ ଧର୍ମଗୁରୁ ପୋପଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଅବସରରେ ପୋପ ଏବଂ ମୋଦି ପରସ୍ପରକୁ ସ୍ବାଗତ ସମ୍ଭର୍ଦ୍ଧନା ଜଣାଇଥିଲେ । ଉପହାର ଅଦାନପ୍ରଦାନ ମଧ୍ୟ ହୋଇଥିଲା ।
ଦୁହିଙ୍କ ଆଳାପ ଆଲୋଚନାରେ ମୁଖ୍ୟତଃ କୋଭିଡ୍ ମହାମାରୀର ପ୍ରଭାବ ଏବଂ ଅନ୍ୟ କେତେକ ବିଶ୍ୱ ସମସ୍ୟା ବାବଦରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ପୋପ୍ ଭାରତ ବିଶ୍ବରୁ ମହାମାରୀ ଦୂରୀକରଣ ପାଇଁ ନେଇଥିବା ପଦକ୍ଷେପକୁ ପ୍ରଂଶସା କରିଥିଲେ । ଭାରତ ଟିକାକରଣରେ ୧ ବିଲିୟନ ଲକ୍ଷ ପାର କରିଥିବା ନେଇ ଖୁସି ବ୍ୟକ୍ତ କରିଥିଲେ ପୋପ୍ । ଏହା ବ୍ୟତିତ ଜଳବାୟୂ ପରିବର୍ତ୍ତନ ବାବଦରେ ମଧ୍ୟ ଦୁହିଁଙ୍କ ଭିତରେ ଆଲେଚନା ହୋଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି । ପୋପ୍ ଫ୍ରାନସିସଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଯାହାକୁ ଭାଟିକାନ୍ ତରଫରୁ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି । ଏନେଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।


