
୩୧/୧୦/୨୧ (ଜିଲ୍ଲା ଖବର) : ଉତ୍ତରପ୍ରଦେଶରେ ପୁଣି ଆସିବ ବିଜେପି । ଏଥର ହେବ 300 ପାର୍ ସିଟ ସଂଖ୍ୟା । ୟୁପିରେ କାର୍ଯ୍ୟକର୍ତ୍ତା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି । ୨୦୨୨ରେ ପୁଣି ଥରେ ବିଜେପିକୁ ଆଶୀର୍ବାଦ କରିବେ ୟୁପିବାସୀ । କାନପୁର-ବୁନ୍ଦେଲଖଣ୍ଡ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କୁ ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ୟୁପିରେ ବିଜେପି ୩୦୦ରୁ ଅଧିକ ସିଟରେ ବିଜୟୀ ହେବା ସହ ଇତିହାସ ରଚିବ ।
ଦଳ ପକ୍ଷରୁ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ବୈଠକ ଅନୁଷ୍ଠିତ ହେଉଛି । ‘ମେରା ପରିବାର ବିଜେପି ପରିବାର’ ସଦସ୍ୟତା ଅଭିଯାନରେ ଅଧିକ ସଦସ୍ୟ ଯୋଡିବା ଲକ୍ଷ୍ୟ ରଖାଯାଇଛି । ମୋଦି ସରକାର ନିର୍ଣ୍ଣାୟକ, ଇମାନ୍ଦାର ଏବଂ ଦମଦାର ସରକାର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର କରିଛନ୍ତି ଅନେକ ଜନହିତକାରୀ ଯୋଜନା । ଯାହା ୟୁପିବାସୀଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିଛି । ଯାହାକୁ ନେଇ ୨୦୨୨ରେ ପୁଣି ଥରେ ୟୁପିବାସୀ ବିଜେପିକୁ ଆଶୀର୍ବାଦ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଚାରିଦିନିଆ ୟୁପି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶନିବାର ଉତ୍ତରପ୍ରଦେଶରେ କାନପୁର-ବୁନ୍ଦେଲଖଣ୍ଡ କ୍ଷେତ୍ରର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ୟୁପିରେ ୨୦୨୨ ନିର୍ବାଚନ ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବାକୁ, ଦଳ ପକ୍ଷରୁ ବୈଠକର ଆୟୋଜନ କରାଯାଉଛି । ଦଳରେ ଅଢ଼େଇ କୋଟି ସକ୍ରିୟ ସଦସ୍ୟ ରହିଛନ୍ତି ।
ତେବେ ଆହୁରି ଦେଢ କୋଟି ସଦସ୍ୟଙ୍କୁ ଯୋଡ଼ିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲକ୍ଷ୍ନୌରେ ‘ମେରା ପରିବାର ବିଜେପି ପରିବାର’ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହାଛଡ଼ା ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାର ଗାଡ଼ିର ମଧ୍ୟ ଶୁଭାରମ୍ଭ କରାଯାଇଛି । ୨୦୨୨ରେ ୟୁପି ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ସିଟରେ ବିଜୟୀ ହେବା ସହ ଉତ୍ତରପ୍ରଦେଶରେ ପୁଣି ଥରେ ଇତିହାସ ରଚିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଉତ୍ତରପ୍ରଦେଶରେ ଗୁଣ୍ଡାରାଜ ସମାପ୍ତ ହୋଇଛି । କରୋନା ସମୟରେ ପ୍ରଧାନମନ୍ତ୍ରୀ ଜନକଲ୍ୟାଣକାରୀ ଯୋଜନାରୁ ଅନେକ ଲୋକ ସେବା ପାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତି ୟୁପିବାସୀଙ୍କ ଆସ୍ଥା ବଢ଼ିଛି ।
ମୋଦି ସରକାର ନିର୍ଣ୍ଣାୟକ, ଇମାନ୍ଦାର, ଦମଦାର ସରକାର ତଥା ସମସ୍ତଙ୍କ ସରକାର ଏବଂ ସମସ୍ତଙ୍କ ପ୍ରୟାସରେ ସରକାର । ସେଥିପାଇଁ ଏଥର ନିଶ୍ଚିତ ଭାବରେ ଉତ୍ତରପ୍ରଦେଶର ଲୋକମାନେ ବିଜେପି ଉପରେ ପୁଣି ଥରେ ଜନଆଶୀର୍ବାଦ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବୈଠକରେ ୟୁପି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, ପ୍ରଦେଶ ମହାମନ୍ତ୍ରୀ ସଂଗଠନ ସୁନୀଲ ବଂଶଲଙ୍କ ସମେତ ମଣ୍ଡଳ ଓ ବୁଥ ଏବଂ ଜିଲ୍ଲା ସ୍ତରରୁ ଅନେକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।



