
ନୂଆଦିଲ୍ଲୀ,୩୧/୧୦/୨୧ (ଜିଲ୍ଲା ଖବର) : 2022 ଶେଷ ସୁଦ୍ଧା ଦେଶ ଏବଂ ବିଶ୍ବ ପାଇଁ 5 ଶହ କୋଟି କରୋନା ଭ୍ୟାକ୍ସିନର ଡୋଜ ଉତ୍ପାଦନ କରିବାକୁ ପ୍ରସ୍ତୁତ ଭାରତ । ରୋମରେ ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୂଚନା ଦେଇଛନ୍ତି । ଏହାସହ ଜି-20 ଶିଖର ସମ୍ମିଳନୀର ପ୍ରଥମ ସେସନକୁ ସମ୍ବୋଧିତ କରି ମୋଦି ଭାରତର କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେବାରେ WHOର ବିଳମ୍ବ କଥା ଉଠାଇଥିଲେ।
ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଜି-20କୁ କହିଛନ୍ତି ଯେ କୋଭାକ୍ସିନଙ୍କୁ WHOର ଅନୁମୋଦନ ଭାରତର ପ୍ରତିଶ୍ରୁତି ପୂରଣ କରିବାରେ ବହୁ ଦୂର ଯିବ, କାରଣ ଏହି ଟିକା ବିକାଶଶୀଳ ଦେଶକୁ ବର୍ତ୍ତମାନର ଅସମାନତା ହ୍ରାସ କରିବାରେ ସାହାଯ୍ୟ କରିବ । G-20 ବାହାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଥିଲେ । ମୋଦିଙ୍କ ସହ ସାକ୍ଷାତ ପରେ ହିନ୍ଦୀରେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ।
ମାକ୍ରନ ଲେଖିଛନ୍ତି, ଆମେ ଭାରତ ସହିତ ପରିବେଶ, ସ୍ବାସ୍ଥ୍ୟ ଏବଂ ନବସୃଜନ ପାଇଁ ସାଧାରଣ ଅଭିଳାଷ ରଖୁଛୁ। ଆମେ ଭଲ ପରିଣାମ ଦିଗରେ ମିଳିମିଶି କାମ କରିବା ଜାରି ରଖୁବୁ, ମୁଖ୍ୟତଃ ହିନ୍ଦ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ । ସେପଟେ ପ୍ରଧାନମନ୍ତ୍ରୀ ଆଜି ୟୁରୋପ ଗସ୍ତର ତୃତୀୟ ଦିନ ରୋମର ପ୍ରସିଦ୍ଧ ଟ୍ରେଭି ଫାଉଣ୍ଟେନ ପରିଦର୍ଶନରୁ ଆରମ୍ଭ କରିବେ ।
ଏହାସହ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଦ୍ୱାରା “ଯୋଗାଣ ଶୃଙ୍ଖଳା ସ୍ଥିରତା” ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ରୋମରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ବାହାରେ ସ୍ପେନ ରାଷ୍ଟ୍ରମୁଖ୍ୟ ଏବଂ ଜର୍ମାନୀ ଚାନସେଲର ଆଞ୍ଜେଲା ମାର୍କେଲଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।


