
ପୁରୀ,୩୧/୧୦/୨୧ (ଜିଲ୍ଲା ଖବର) : ଭୁଲିଗଲେ ମଣିଷ ପଣିଆ। ଶବକୁ ମିଳିଲାନି କାନ୍ଧ। ଟ୍ରଲିରେ ବୁହା ହୋଇ ଶ୍ମଶାନ ଗଲା ମହିଳାଙ୍କ ଶବ। ସଭ୍ୟ ସମାଜକୁ ଲଜ୍ଜିତ କରିବା ପରି ଏହି ଘଟଣା ଘଟିଛି ପୁରୀରେ। ନରେନ୍ଦ୍ର କୋଣରୁ ସ୍ବର୍ଗଦ୍ବାର ଯାଏଁ ମହିଳାଙ୍କ ମୃତ ଦେହକୁ ଟ୍ରଲିରେ ନେଲେ ପରିବାର ଲୋକ। ମୃତ ମହିଳା ହେଉଛନ୍ତି ନରେନ୍ଦ୍ର କୋଣ ମଙ୍ଗଳା ସାହି ଅଞ୍ଚଳର ମାମୁନି ନାୟକ।
ମୃତକଙ୍କ ପରିବାରକୁ ସାହି ଲୋକେ ଓ ବନ୍ଧୁବାନ୍ଧବ ଏକଘରିଆ କରିଥିବାରୁ ଶବ ବୋହିବାକୁ ମନା କରିଦେଲେ। ଶେଷରେ ବାଧ୍ୟ ହୋଇ ମହିଳାଙ୍କ ମୃତ ଶରୀରକୁ ଟ୍ରଲିରେ ବୋହିଲେ ପରିବାର ଲୋକେ। ଏହାସହ ପ୍ରଶାସନର ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ପୁରୀ ପୌରସଂସ୍ଥା ତରଫରୁ ଅସହାୟ ମୃତକଙ୍କ ପାଇଁ ସ୍ବର୍ଗ ସବାରୀ ଗାଡି 2019ରୁ ଲାଗୁ କରିବା ପାଇଁ ସିଡିଏମଓଙ୍କୁ ଚିଠି ଲେଖାଯାଇଥିଲା। କିନ୍ତୁ ଗାଡି ସବୁ ଭଙ୍ଗା ଦଦରା ହୋଇ ପଡି ରହିଛି। ହେଲେ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତରିକତା ନାହିଁ। ଯାହା ଫଳରେ ଜଣେ ଅସହାୟ ମୃତକ ଏଭଳି ଟ୍ରଲିରେ ବୁହା ହେଉଛନ୍ତି।



