
ନୂଆଦିଲ୍ଲୀ,୩୧/୧୦/୨୧ (ଜିଲ୍ଲା ଖବର) : ଟି-20 ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦୁବାଇର ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ସଂଧ୍ୟା 7ଟା 30ରେ ଖେଳାଯିବ ଏହି ମ୍ୟାଚ । ଗ୍ରୁପ Bର ଏହି ମ୍ୟାଚ ଦୁଇ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ ବେଶ ଗୁରୁତ୍ବ ବହନ କରୁଥିବା ବେଳେ ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରିଛି । ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ଲଜ୍ଜାଜନକ ପରାଜୟ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଜିତି ବିଶ୍ବକପ ସେମି ଫାଇନାଲକୁ ଯିବା ରାସ୍ତା ଉଜ୍ଜିବିତ ରଖିବାକୁ ଚାହୁଁଛି ଭାରତ । ପାରଜିତ ଦଳ ପାଇଁ ସେମିଫାଇନାଲ ଯିବା କଷ୍ଟକର ହୋଇଯିବ।
ଦୁଇ ଟିମ ବର୍ତ୍ତମାନ ସୁଦ୍ଧା ସୁପର ଟ୍ବେଲଭରେ ବିଜୟର ସ୍ବାଦ ଚାଖି ନାହାନ୍ତି । କହିବାକୁ ଗଲେ ଭାରତ-ନ୍ୟୁଜିଲାଣ୍ଡର ଏହି ମ୍ୟାଚ ଏକ ପ୍ରକାର ନକଆଉଟ ମ୍ୟାଚ। ଏପରି ସ୍ଥିତିରେ ଏହା ଏକ ରୋମାଞ୍ଚକର ହେବାକୁ ଯାଉଛି । ସେମିଫାଇନଲରେ ପହଞ୍ଚିବାକୁ ହେଲେ ଆଜିର ଏହି ମ୍ୟାଚକୁ ଭାରତ ଜିତିବା ଜରୁରୀ । ବିଶ୍ବପକରେ ଭାରତ ଗତ 18 ବର୍ଷରେ ନ୍ୟୁଜିଲାଣ୍ଡ ଠାରୁ ଗୋଟିଏ ବି ମ୍ୟାଚ ଜିତିପାରି ନାହିଁ ।
ଟି-20 ବିଶ୍ବକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ମ୍ୟାଚ ହୋଇଥିବା ବେଳେ ଉଭୟରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଶେଷ ଥର ପାଇଁ 2003 ବିଶ୍ବକପରେ ଗାଙ୍ଗୁଲିଙ୍କ ନେତୃତ୍ୱାଧିନ ଭାରତୀୟ ଟିମ ଷ୍ଟିଫନ ଫ୍ଲେମିଂଙ୍କ ଟିମକୁ 7 ୱିକେଟରେ ହରାଇଥିଲେ। ପ୍ରତ୍ୟାବର୍ତ୍ତନ କରିବାରେ ମାହିର ଥିବା ବିରାଟ ବାହିନୀ ଆଜିର ମ୍ୟାଚରେ ବଡ ବିଜୟ ହାସଲ କରିବ ବୋଲି ଆକଳନ କରାଯାଉଛି।



