Home ଜାତୀୟ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ (ଅନଧିକୃତ କଲୋନୀ ନିବାସୀଙ୍କ ସମ୍ପତ୍ତି ଅଧିକାର ମାନ୍ୟତା) ବିଧେୟକ ୨୦୧୯କୁ...

ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ (ଅନଧିକୃତ କଲୋନୀ ନିବାସୀଙ୍କ ସମ୍ପତ୍ତି ଅଧିକାର ମାନ୍ୟତା) ବିଧେୟକ ୨୦୧୯କୁ କ୍ୟାବିନେଟର ମଞ୍ଜୁରି • ୧୭୩୧ ଅନଧିକୃତ କଲୋନୀର ୪୦ ଲକ୍ଷ ଲୋକ ଲାଭ ପାଇବେ

8
Image for representational purpose only

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସଂସଦରେ ଚାଲିଥିବା ଶୀତକାଳୀନ ଅଧିବେଶନ ସମୟରେ ଆଜି ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ (ଅନଧିକୃତ କଲୋନୀ ନିବାସୀଙ୍କ ସମ୍ପତ୍ତି ଅଧିକାର ମାନ୍ୟତା) ବିଧେୟକ ୨୦୧୯କୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ବିଧେୟକ ଦ୍ୱାରା ଦିଲ୍ଲୀର ଅନଧିକୃତ କଲୋନୀରେ ରହୁଥିବା ଲୋକମାନଙ୍କୁ ନିଜର ସମ୍ପତ୍ତି ପଞ୍ଜିକରଣ କରାଇବାରେ ସହାୟତା ମିଳିବ । ସେମାନଙ୍କୁ ସମ୍ପତ୍ତିର ପଞ୍ଜିକରଣ ଏବଂ ଷ୍ଟାମ୍ପ ଶୁଳ୍କରେ ମଧ୍ୟ ରିହାତି ମିଳିବ ।

ଦିଲ୍ଲୀରେ ସରକାରୀ ଓ ଘରୋଇ ଜମିରେ ନିର୍ମାଣ କରାଯାଇଥିବା ଅନଧିକୃତ କଲୋନୀରେ ପାଖାପାଖି ୪୦ ଲକ୍ଷ ଲୋକ ବାସ କରନ୍ତି । ଏହି କଲୋନୀରେ ଜମି ତଥା ନିର୍ମାଣ ହୋଇଥିବା ଗୃହର ମାଲିକାନା ସାଧାରଣତଃ ପାୱାର ଅଫ ଆଟର୍ଣ୍ଣି, ବିଲ, ବିକ୍ରୟ ରାଜିନାମା ଏବଂ ଦେୟ ଓ ଅଧିକାର ଦସ୍ତାବିଜ ଆଧାରରେ ମିଳିଛି । ଏହି କଲୋନୀରେ ଅଚଳ ସମ୍ପତ୍ତି, ପଞ୍ଜିକରଣ ପ୍ରାଧିକରଣ ଦ୍ୱାରା ପଞ୍ଜିକୃତ ନୁହେଁ । ଏପରି ସ୍ଥଳେ ଏଠାରେ ରହୁଥିବା ବ୍ୟକ୍ତି ମାନଙ୍କ ପାଖରେ ଏହି ସମ୍ପତ୍ତିର ମାଲିକାନା ଅଧିକାର କୌଣସି ଦସ୍ତାବିଜ ନାହିଁ, ଯାହାଫଳରେ ଏହି ସମ୍ପତ୍ତି ପାଇଁ ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥାମାନଙ୍କ ଦ୍ୱାରା କୌଣସି ପ୍ରକାରର ଋଣ ସୁବିଧା ପ୍ରଦାନ କରାଯାଇ ନଥାଏ ।

ସର୍ବୋଚ୍ଚ ନ୍ୟାୟାଳୟ ଏସଏଲପି (ସି) ୧୩୯୧୭ ଅନ୍ତର୍ଗତ ୨୦୦୯ର ସୁରଜ ଲ୍ୟାମ୍ପ ଆଣ୍ଡ ଇଣ୍ଡଷ୍ଟ୍ରିଜ (ଘରୋଇ) ବନାମ ହରିୟାଣା ସରକାର ଏବଂ ଅନ୍ୟ ମାମଲାରେ ଅକ୍ଟୋବର ୧୧, ୨୦୧୬କୁ ଶୁଣାଣି କରାଯାଇଥିବା ନିଷ୍ପତ୍ତିରେ କହିଥିଲେ ଯେ ସେଲ ଏଗ୍ରିମେଂଟ/ଜେନେରାଲ ପାୱାର ଅଫ ଆଟର୍ଣ୍ଣି କିମ୍ବା ବିଲ କାରବାର ଦ୍ୱାରା କୌଣସି ସମ୍ପତ୍ତିକୁ ବୈଧାନିକ ଭାବେ ହସ୍ତାନ୍ତରଣ କିମ୍ବା ବିକ୍ରୟ କରାଯାଇ ଥିବାର ଗ୍ରହଣ କରାଯିବ ନାହିଁ ଏବଂ ଏହାକୁ ଏଗ୍ରିମେଂଟ ଅଫ ସେଲ ଭାବେ ଗ୍ରହଣ କରାଯିବ ନାହିଁ ।

ସରକାର ଏହି ଅନଧିକୃତ କଲୋନୀରେ ବାସ କରୁଥିବା ଲୋକମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କୁ ପାୱାର ଅଫ ଆଟର୍ଣ୍ଣି, ଏଗ୍ରିମେଂଟ ଟୁ ସେଲ, ବିଲ, ଅଧିକାର ପତ୍ର ଏବଂ ଏହିପରି ଅନ୍ୟାନ୍ୟ ଦସ୍ତାବିଜ ଆଧାରରେ ମାଲିକାନା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା ଏହି ସମ୍ପତ୍ତି ମାନଙ୍କର କ୍ରୟର ପ୍ରମାଣ । ଏଥିସହିତ ସରକାର ଏପରି କଲୋନୀର ବିକାଶ ତଥା ସେଠାରେ ମହଜୁଦ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧାକୁ ଉନ୍ନତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

ପ୍ରସ୍ତାବିତ ବିଧେୟକରେ ନିମ୍ନଲିଖିତ ବ୍ୟବସ୍ଥା କରାଯାଇଛି:

କ) ଦିଲ୍ଲୀର ଅନଧିକୃତ କଲୋନୀରେ ରହୁଥିବା ଲୋକମାନଙ୍କ ପାଇଁ ସେମାନଙ୍କ ସମ୍ପତ୍ତିର ମାଲିକାନା ହକ ବାବଦରେ ଜେନେରାଲ ପାୱାର ଅଫ ଆଟର୍ଣ୍ଣି, ଏଗ୍ରିମେଂଟ ଟୁ ସେଲ ଓ କ୍ରୟ ସହିତ ଜଡିତ ଦସ୍ତାବିଜକୁ ମାନ୍ୟତା ପ୍ରଦାନ କରିବା ପାଇଁ ସୁରଜ ଲ୍ୟାମ୍ପ ମାମଲା ପରିପ୍ରେକ୍ଷୀରେ ବିଶେଷ ଭାବେ ଥରେ ରିହାତି ପ୍ରଦାନ କରିବା ।

ଖ) କନଭେୟାନ୍ସ ଡିଡ କିମ୍ବା ଅଥରାଇଜେସନ ସ୍ଲିପରେ ସମ୍ପତ୍ତିର ସ୍ଥିରୀକୃତ ମୂଲ୍ୟ ଆଧାରରେ ପଞ୍ଜିକରଣ ଶୁଳ୍କ ଏବଂ ଷ୍ଟାମ୍ପ ଡ୍ୟୁଟି ନିଆଯିବ ।

ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ (ଅନଧିକୃତ କଲୋନୀ ନିବାସୀଙ୍କ ସମ୍ପତ୍ତି ଅଧିକାରର ମାନ୍ୟତା) ବିଧେୟକ ୨୦୧୯ର ବ୍ୟବସ୍ଥା ଅନୁଯାୟୀ ପଞ୍ଜିକରଣ ତଥା ଷ୍ଟାମ୍ପ ଡ୍ୟୁଟିରେ ପ୍ରଦାନ କରାଯାଉଥିବା ଏହି ରିହାତି ଫଳରେ ଦିଲ୍ଲୀର ୧୭୩୧ ଅନଧିକୃତ କଲୋନୀରେ ରହୁଥିବା ୪୦ ଲକ୍ଷରୁ ଅଧିକ ଲୋକ ଲାଭାନ୍ୱିତ ହେବେ । ଏହା ଅକ୍ଟୋବର ୨୯, ୨୦୧୯ରେ ଅଧିସୂଚିତ କରାଯାଇ ଥିଲା ।

ସ୍ରୋତ-ପିଆବି