
୨୮/୧୦/୨୧ (ଜିଲ୍ଲା ଖବର) : ମନୀଷ ଦାସ ମୃତ୍ୟୁ ମାମଲାରେ ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ । ୫ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରୁଥିବା ଜଣାପଡ଼ିଛି । ମନୀଷ ହତ୍ୟା ଘଟଣାରେ ଚର୍ଚ୍ଚାକୁ ଆସିଥିବା ସାଉଥ୍ ସିଟି ବାରକୁ ବେଆଇନ ଭାବେ ଚଳାଉଥିବାରୁ କମିଶନରେଟ ପୋଲିସ ପ୍ରସନ୍ନକୁ ଗିରଫ କରିଥିଲା ।
ତଦନ୍ତ ବେଳେ ପ୍ରସନ୍ନଙ୍କର ଏକାଧିକ ବ୍ୟବସାୟିକ ସଂସ୍ଥା ଓ ବେଆଇନ ସମ୍ପତ୍ତି ଠୁଳ ହୋଇଥିବା ଜଣାପଡ଼ିଥିଲା । ଏହା ପରେ ପ୍ରସନ୍ନଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ପରେ ଭିଜିଲାନ୍ସ ଘଟଣାର ଅନୁଧ୍ୟାନ କରିବା ପରେ କୋର୍ଟଙ୍କ ସର୍ଚ୍ଚ ୱରେଂଟ ବଳରେ ଆଜି ଚଢାଉ କରିଛି ।
କଳ୍ପନା ଛକରେ ଥିବା କ୍ୱାଟର ନମ୍ବର ଜି-୧୨ ସରକାରୀ ଘର, ଡୁମୁଡୁମୁ ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ସନ୍ଥ ବିହାର ସ୍ଥିତ ୱାର୍କସପ, ସାଉଥ ସିଟି ବାର୍ ଓ ଖୋର୍ଦ୍ଧା ନୂଆପଡ଼ା ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଚଢାଉ କରୁଛି । ଚଢାଉରେ ୨ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡିଛି ।



