ରାମ ମନ୍ଦିର ପାଇଁ ସୁନା ଇଟା ଯାଚି ମୋଗଲ ବଂଶଜ କହିଲେ, ଅଯୋଧ୍ୟା ଭୂମିରେ ମନ୍ଦିର ତୋଳାଯିବା ଉଚିତ :

33

ହାଇଦ୍ରାବାଦ,୧୯/୮(ଏଜେନସି ) : ଅଯୋଧ୍ୟାରେ ରାମ ମନ୍ଦିର ତୋଳାଯିବାକୁ ଶେଷ ମୋଗଲ ସମ୍ରାଟ ବାହାଦୁର ଶାହା ଜଫର୍‌ଙ୍କ ବଂଶଜ ବୋଲି ଦାବି କରୁଥିବା ରାଜକୁମାର ହବୀବୁଦ୍ଦିନ ତୁସୀ ସୁନାଇଟା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ୧୫୨୯ ମସିହାରେ ବାବ୍ରି ମସ୍‌ଜିଦ୍‌ ନିର୍ମାଣ କରାଇଥିବା ପ୍ରଥମ ମୋଗଲ ସମ୍ରାଟ ବାବରଙ୍କର ଉତ୍ତରାଧିକାରୀ ହୋଇଥିବାରୁ ସେ ବାବ୍ରି ମସ୍‌ଜିଦ୍‌-ରାମ ଜନ୍ମଭୂମି ଜମିର ଅଧିକାରୀ, ତେଣୁ ତାଙ୍କୁ ସେ ଜମି ହସ୍ତାନ୍ତର କରାଯାଉ । ରବିବାର ଦିନ ହବୀବୁଦ୍ଦିନ କହିଛନ୍ତି ଯେ ଯଦି ସୁପ୍ରିମ୍‌ କୋର୍ଟ ତାଙ୍କୁ ଜମି ହସ୍ତାନ୍ତର କରନ୍ତି, ସେ ସମଗ୍ର ଜମି ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଦେବେ। ସେ ସେମାନଙ୍କର ଭାବାବେଗ ଏବଂ ବାବ୍ରି ମସ୍‌ଜିଦ୍‌ ସ୍ଥାନରେ ରାମ ମନ୍ଦିର ଥିଲା ବୋଲି ପ୍ରଚଳିତ ବିଶ୍ୱାସକୁ ସମ୍ମାନ ଦିଅନ୍ତି । ଏ ସଂକ୍ରାନ୍ତରେ ୫୦ ବର୍ଷିୟ ତୁସୀ ସୁପ୍ରିମ୍‌ କୋର୍ଟରେ ପିଟିସନ୍‌ ଦାଏର କରିଛନ୍ତି, କିନ୍ତୁ ଶୁଣାଣି ପାଇଁ ତାହା ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ । ତୁସୀ ତିନି ଥର ଅଯୋଧ୍ୟା ଯାଇ ଅସ୍ଥାୟୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ରାମ ମନ୍ଦିର ଧ୍ୱଂସ କରାଯାଇଥିବା କାରଣରୁ ସେ ହିନ୍ଦୁ ସମ୍ପ୍ରଦାୟଙ୍କ ନିକଟରେ କ୍ଷମା ମାଗିଛନ୍ତି।