
୨୭/୧୦/୨୧ (ଜିଲ୍ଲା ଖବର) : ଆଜିକାଲି ଅନେକ ଲୋକ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କ୍ୟାରି କରିବାକୁ ସୁବିଧା ହେଉଥିବା ସହ ସୁନ୍ଦରତା ମଧ୍ୟ ବଜାୟ ରହୁଛି । ଫଳରେ ଆଧୁନିକ ଯୁଗରେ ସଫ୍ଟ କଣ୍ଟାକ୍ଟ ଲେନ୍ସ ବହୁଳ ଭାବରେ ବ୍ୟବହାର ହେଉଛି । ଆଜି ସେହି ସଫ୍ଟ କଣ୍ଟାକ୍ଟ ଲେନ୍ସ ଉଦ୍ଭାବନକାରୀ ଓଟୋ ୱିଚର୍ଲେଙ୍କୁ ସମ୍ମାନ ଜଣାଇଛି ଗୁଗୁଲ ଡୁଡୁଲ । ପ୍ରସିଦ୍ଧ ରସାୟନ ବିଜ୍ଞାନୀ ଓଟୋ ୱିଚର୍ଲେଙ୍କ 108 ତମ ଜନ୍ମଦିନ ପାଳୁଛି ଗୁଗୁଲ । ସଫ୍ଟ କଣ୍ଟାକ୍ଟ ଲେନ୍ସ ଉଦ୍ଭାବନ କରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇ ଦେଇଛନ୍ତି ଏହି ବୈଜ୍ଞାନିକ ।
ଡୁଡୁଲରେ ଦେଖିବାକୁ ମିଳିଛି ବୈଜ୍ଞାନିକ ଜଣଙ୍କ ତାଙ୍କ ଆଙ୍ଗୁଠିରେ କଣ୍ଟାକ୍ଟ ଲେନ୍ସର ଏକ ଖଣ୍ଡ ଧରିଛନ୍ତି । ଯେଉଁଥିରୁ ଆଲୋକ ପ୍ରତିଫଳନ ହେଉଛି । ବର୍ତ୍ତମାନ ବିଶ୍ୱର ପ୍ରାୟ 140 ନିୟୁତ ଲୋକ ଆଧୁନିକ ସଫ୍ଟ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି ।
ଅଟ୍ଟୋ ୱିଚର୍ଲେ 27 ଅକ୍ଟୋବର, 1913 ରେ ଚେକ୍ ରିପବ୍ଲିକର ପ୍ରୋଷ୍ଟୋଜୋଭରେ ଜନ୍ମ ହୋଇଥିଲେ । ପିଲା ବେଳୁ ବିଜ୍ଞାନ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା । 1936 ମସିହାରେ ସେ ପ୍ରାଗା ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି) ରୁ ଜୈବ ରସାୟନରେ ଡକ୍ଟରେଟ୍ ଅର୍ଜନ କରିଥିଲେ । 1950 ଦଶକରେ ସେ ପ୍ରଫେସର ଭାବରେ ଶିକ୍ଷାଦାନ କରୁଥିବାବେଳେ ଆଖି ପ୍ରତିରୋପଣ ପାଇଁ ଏକ ଶୋଷକ ଏବଂ ସ୍ୱଚ୍ଛ ଜେଲ୍ ବିକଶିତ କରିଥିଲେ ।
1961ରେ ୱିଚର୍ଲେ (ନିଜେ ଏକ ଚଷମା ପିନ୍ଧୁଥିବା) ଶିଶୁର ଇରେକ୍ଟର ସେଟ୍, ହାଲୁକା ବ୍ୟାଟେରୀ, ଫୋନୋଗ୍ରାଫ୍ ମୋଟର ଏବଂ ଘରେ ତିଆରି ଗ୍ଲାସ୍ ଟ୍ୟୁବ୍ ଏବଂ ଛାଞ୍ଚରେ ନିର୍ମିତ DIY ଉପକରଣ ସହିତ ପ୍ରଥମ ସଫ୍ଟ କଣ୍ଟାକ୍ଟ ଲେନ୍ସ ଉତ୍ପାଦନ କରିଥିଲେ ।


