
ନୂଆଦିଲ୍ଲୀ, ୨୭/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଆର ମାଧବନ୍ ଏବେ ବେଶ ଖୁସି ଅଛନ୍ତି । ହେଲେ ଏବେ ସେ ତାଙ୍କର କୌଣସି ଫିଲ୍ମକୁ ନେଇ ନୁହେଁ, ବରଂ ନିଜ ପୁଅ ବେଦାନ୍ତଙ୍କୁ ନେଇ ବେଶ ଗର୍ବ କରୁଛନ୍ତି । କାହିଁକି ନାଁ, ନିକଟରେ ୭ଟି ପଦକ ଜିତି ନିଜର ନାଁ ରୋଶନ କରିଛନ୍ତି ଆର ମାଧବନଙ୍କ ୧୬ ବର୍ଷିୟ ପୁଅ ବେଦାନ୍ତ । ନିକଟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଜୁନିଅର ନ୍ୟାଶ୍ନାଲ୍ ଆକ୍ୱାଟିକ୍ ଚାମ୍ପିଅନ୍ଶିପ୍ରେ ସେ ସ୍ୱିମିଂରେ ମହାରାଷ୍ଟ୍ର ତରଫରୁ ଭାଗ ନେଇ ଏହି ସବୁ ପଦକ ଜିତିଛନ୍ତି ।
ଖବର ଅନୁଯାୟୀ, ୪ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଚ ପଦକ ଜିତିଛନ୍ତି ବେଦାନ୍ତ । ୮୦୦ ମିଟର ଫ୍ରୀଷ୍ଟାଇଲ୍, ୧୫୦୦ ମିଟର ଫ୍ରୀଷ୍ଟାଇଲ୍, ୪ ଗୁଣା ୧୦୦ ଫ୍ରୀଷ୍ଟାଇଲ୍ ରିଲେ ଓ ୪ ଗୁଣା ୨୦୦ ରିଲେରେ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୧୦୦ ମିଟର ଫ୍ରୀଷ୍ଟାଇଲ୍, ୨୦୦ ମିଟର ଫ୍ରୀଷ୍ଟାଇଲ ଓ ୪୦୦ ମିଟର ଫ୍ରୀଷ୍ଟାଇଲ୍ ସ୍ୱିମିଂରେ ସେ ବ୍ରୋଞ୍ଜ ପଦକ ହାତେଇଛନ୍ତି ।


