Sunday, November 15, 2026
Home ଆଞ୍ଚଳିକ ସମ୍ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ

ସମ୍ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ

13

ଭୁବନେଶ୍ୱର,୨୬/୧୦/୨୧ (ଜିଲ୍ଲା ଖବର) :  ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କର ସଫଳ ଉପଚାର ଫଳରେ ନୂଆ ଜୀବନ ପାଇଛି ୪ ଦିନର ଶିଶୁ କନ୍ୟା । ଡେକ୍ସଟ୍ରୋ-ଟ୍ରାନ୍ସପୋଜିସନ୍ ଅଫ୍ ଦି ଗ୍ରେଟ୍ ଆର୍ଟେରୀଜ୍ (ଡି-ଟିଜିଏ)ଭଳି ହୃଦରୋଗ ସହିତ ଜନ୍ମ ନେଇଥିବା ଶିଶୁଟିକୁ ସୁସ୍ଥ କରିପାରିଛନ୍ତି ସମ୍ କାର୍ଡିଓଲୋଜିଷ୍ଟ । 

ମାତ୍ର ୨.୩ କେଜି ଓଜନ ଓ ୫୦ ରୁ କମ୍ ପ୍ରତିଶତ ଅମ୍ଳଜାନ ସ୍ତର ଥିବା ନବଜାତ ଶିଶୁ କନ୍ୟାଟି ସମ୍ ହସ୍ପିଟାଲ୍‌ର ଏର୍ମଜେନ୍ସିରେ ପହଂଚିବା ପରେ ତା’ର ଅମ୍ଳଜାନ ସ୍ତର ଲଗାତାର କମୁଥିବା ଦେଖି ତୁରନ୍ତ ନବଜାତ ଶିଶୁ ଆଇସିୟୁରେ ଭର୍ତି କରାଯାଇଥିଲା ବୋଲି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରା କହିଛନ୍ତି । 

ଡି-ଟିଜିଏ ଏକ ଜନ୍ମଗତ ତ୍ରୁଟି ଯେଉଁଥିରେ ହୃତପିଣ୍ଡରୁ ରକ୍ତ ସଂଚାଳନ କରୁଥିବା ଦୁଇଟି ମୁଖ୍ୟ ଆର୍ଟେରୀ, ପଲମୋନାରୀ ଆର୍ଟେରୀ ଏବଂ ଆଓର୍ଟା ନିଜର ସ୍ଥାନ ପରିବର୍ତନ କରିଥାନ୍ତି ।
ଡାକ୍ତର ବେହେରା କହିଛନ୍ତି ଯେ ସେ ଏବଂ ତାଙ୍କ ଟିମ୍ ଜରୁରୀକାଳୀନ ବେଲୁନ୍ ଆଟ୍ରିଆଲ୍ ସେପ୍ଟୋଷ୍ଟୋମି (ବାସ) ସହିତ ପାଟେଂଟ ଡକ୍ଟସ୍ ଆର୍ଟେରୀଓସସ୍ (ପିଡିଏ) ଷ୍ଟେଂଟିଙ୍ଗ୍ ମଧ୍ୟ କରିଥିଲେ । ବାସ୍ ଦ୍ୱାରା ହୃତ୍‌ପିଣ୍ଡରେ ଏକ ଛିଦ୍ର ସୃଷ୍ଟି କରାଯାଇଥିଲା ଏବଂ ପିଡିଏସ୍ ଷ୍ଟେଂଟିଙ୍ଗ୍ ଦ୍ୱାରା 
ଦୁଇଟି ମୁଖ୍ୟ ରକ୍ତ ନଳୀ ଆଓର୍ଟା ଏବଂ ପଲମୋନାରୀ ଆର୍ଟେରୀକୁ ସଂଯୋଗ କରାଯାଇ ପାରିଥିଲା ବୋଲି ଡାକ୍ତର ବେହେରା କହିବା ସହ ଏହା ଦ୍ୱାରା ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିଲା ଏବଂ ତା’ର ଅମ୍ଳଜାନ ସ୍ତର ୪୦ ପ୍ରତିଶତରୁ ୯୫ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି ସେ କହିଥିଲେ । 

ଶିଶୁଟିକୁ ଭେଂଟିଲେଟରରେ ରଖାଯିବା ସହ ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ଯାଏ ୭ ଦିନ ପର୍ଯ୍ୟନ୍ତ ଏନ୍‌ଆଇସିୟୁରେ ରଖାଯାଇଥିଲା । ଶିଶୁଟି ସୁସ୍ଥ ହେବା ପରେ ତାକୁ ଥିରୁଭାନନ୍ତପୁରମ୍ ସ୍ଥିତ ଶ୍ରୀ ଚିତ୍ରା ତିରୁନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ଟେକ୍ନୋଲୋଜିକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ତା’ର ଆଉ ଏକ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି । ଆମ ରାଜ୍ୟରେ ହୁଏତ ପ୍ରଥମ ଥର ପାଇଁ ଏଭଳି ନବଜାତ ଶିଶୁର ହୃତ ଚିକିତ୍ସା କରାଯାଇଥିବା ଡାକ୍ତର ବେହେରା କହିଛନ୍ତି ।