
ଭୁବନେଶ୍ୱର,୨୬/୧୦/୨୧ (ଜିଲ୍ଲା ଖବର) : ଆମ ଘର ହାଲଚାଲରେ ବିଜେଡିର ପେଡ଼ି ଖୋଲିଲେ ସୌମ୍ୟ। ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ କଳକୁ କାଠଗଡ଼ାରେ ଠିଆକଲେ । କହିଲେ ପ୍ରଦୀପ ଜନବିରୋଧୀ, ଅନ୍ୟମାନେ ସଚ୍ଚୋଟ ବୋଲି ପ୍ରମାଣ ଦେଇପାରିବେ ତ ।
ନିଜ ଏଡିଟୋରିଆଲରେ ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଛନ୍ତି, ଗୋଟିଏ ରାଜନୈତିକ ଦଳ ଜନସାଧାରଣଙ୍କ ପାଇଁ କିଛି କରିବାକୁ ହେଲେ କ୍ଷମତାକୁ ଆସିବାକୁ ପଡ଼ିବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଖ୍ୟାର ଖେଳ। ନିର୍ବାଚନରେ ନଜିତିଲେ କ୍ଷମତା ମିଳିବ ନାହିଁ। ମନଲୋଭା ଯୋଜନା ନକହିଲେ ଜନ ସମର୍ଥନ ଜୁଟାଇ ହେବ ନାହିଁ।
ନବୀନ ବାବୁଙ୍କର ସଫଳତା ପାଇଁ ଏପରି କୌଶଳ ଏକ ଗୁରୁତ୍ବପୂଣ୍ଣ୍ଣ ଭୂମିକା ନିର୍ବାହ କରିଛି। ଏହା ଭୁଲିଗଲେ ଚଳିବ ନାହିଁ ଯେ ରାଜ ନୈତିକ ବିକଳ୍ପର ଅଭାବ ମଧ୍ୟ ତାଙ୍କ ନିଜ ସଫଳତାର ଅନ୍ୟତମ କାରଣ ହୋଇଛି। ବାରମ୍ବାର ମିଳୁଥିବା ସହଜ ସଫଳତା ଆଜି ଅହଙ୍କାରର ରୂପ ନେଉଛି ଏବଂ ଅହଙ୍କାର ‘ସ୍ବଚ୍ଛତା ଓ ପ୍ରଗତି ପ୍ରତି ଶୂନ୍ୟ ସହନଶୀଳତା’ର ସଂକଚୋନର ମୂଳ କାରଣ ହୋଇଛି।
ଉଦାହରଣ ସ୍ବରୂପ ସ୍ବଚ୍ଛତା କଥା ବିଚାର କରାଯାଉ। ନିର୍ବାଚନ ସର୍ବସ୍ବ ରାଜନୀତିରେ ସ୍ବଚ୍ଛତା କଥା କହିବା ଲଙ୍କାରେ ହରିଶବ୍ଦ ପରି ହେବ। ପ୍ରତି ନିର୍ବାଚନ ଅଧିକରୁ ଅଧିକ ବ୍ୟୟ ବହୁଳ ହେଉଛି। ଏକଦା ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ଓ ଡାହାଣ ହାତ ସାଜିଥିବା ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜନବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବାର ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି।
ଆଜି ନିର୍ବାଚିତ ବିଧାୟକମାନଙ୍କ ଭିତରୁ କେତେଜଣ ଛାତିରେ ହାତ ଦେଇ କହିପାରିବେ ଯେ ସେମାନେ ଆୟ ବହିର୍ଭୂତ ସମ୍ପତ୍ତିର ଅଧିକାରୀ ନୁହନ୍ତି। ଏହାଦ୍ବାରା ଶାସନର ମର୍ଯ୍ୟାଦା ବଢ଼ୁଛି ନା ଛିଡ଼ୁଛି? ଭୟ କମ ଶ୍ରଦ୍ଧା ବେଶି, ସୁଶାସନର ଅନ୍ୟ ଏକ ମୂଳ ମନ୍ତ୍ର ହେବା ଉଚିତ।
ଏଠି ଓଲଟା ହେଉଥିଲା ପରି ମନେ ହେଉଛି। ବିଧାୟକ ମାନଙ୍କର ଦେଖାଦେଖି ପଞ୍ଚାୟତ ବ୍ୟବସ୍ଥାରେ ସରପଞ୍ଚମାନେ ମଧ୍ୟ ଅନୁରୁପ ଭାବେ ଜିତିବା ଏକମାତ୍ର ଲକ୍ଷ୍ୟ ବୋଲି ଧରି ନେଉଛନ୍ତି। ନିର୍ବାଚନ ଜିତିବା ପାଇଁ ପ୍ରତିଥର ଅଧିକରୁ ଅଧିକ ଅର୍ଥର ଆବଶ୍ୟକତା ପଡ଼ୁଥିବାରୁ ସମସ୍ତେ ଅର୍ଥ ଯୋଗାଡ଼ କରିବାରେ ବ୍ୟସ୍ତ। ତେବେ ଏତେ ଅର୍ଥ ଆସିବ କୁଆଡ଼ୁ?


