
ନୂଆଦିଲ୍ଲୀ, ୨୬/୧୦/୨୧ (ଜିଲ୍ଲା ଖବର) : ପ୍ରଥମେ ପ୍ରେମ, ତାପରେ ବିବାହ, ଆଉ ବିବାହ ପରେ ଦୁଇ ସନ୍ତାନର ବାପା-ମା’ ହୋଇଥିଲେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ତାଙ୍କର ଏକ୍ସ ଓ୍ବାଇଫ୍ ଅମୃତା ସିଂହ । କିନ୍ତୁ ବିବାହର ୧୩ ବର୍ଷ ପରେ, ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଏହାପରେ ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ସହ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସୈଫ ଅଲ୍ଲୀ ଖାନ୍ ।
ତେବେ ଦ୍ବିତୀୟ ବିବାହ ପରେ କରୀନାଙ୍କର, ସୈଫଙ୍କ ପ୍ରଥମ ପିଲା ସାରା ଅଲ୍ଲୀ ଖାନ୍ ଏବଂ ଇବ୍ରାହିମ ଅଲ୍ଲୀ ଖାନଙ୍କ ସହ ବେଶ ଭଲ ସମ୍ପର୍କ ରହିଛି । ହେଲେ ସବୁଠାରୁ ଖାସ୍ କଥା ହେଉଛି ଆଜି ଯାଏ କେବେବି ଅମୃତାଙ୍କ ସହ କରୀନାଙ୍କର ସାକ୍ଷାତ ହୋଇ ନାହିଁ । ଏନେଇ ନିଜେ କରୀନା ସୂଚନା ଦେଇଛନ୍ତି ।
କରଣ ଜୋହରଙ୍କ ଚାଟ୍ ଶୋ’ କଫି ୱିଥ କରଣ-୬ ରେ କରୀନା କଥାବାର୍ତ୍ତା ସମୟରେ, କରଣ ଅମୃତା ସିଂହ ବିଷୟରେ ପଚାରିଥିଲେ। କରଣ ଜୋହର ପଚାରିଥିଲେ ଯେ ଆପଣ ଦୁହେଁ ପରସ୍ପର ସହ କଥା ହୁଅନ୍ତି ? ଜବାବରେ କରୀନା କହିଥିଲେ ଯେ ‘ଆମେ କଥା ହେଉନି କିନ୍ତୁ ମୁଁ ତାଙ୍କୁ ସମ୍ମାନ ଦିଏ। ଆମେ କେବେ ସାକ୍ଷାତ ବି କରିନୁ।’
ତେବେ କରୀନା କେବେ ଅମୃତାଙ୍କୁ ସାକ୍ଷାତ କରିନାହାଁନ୍ତି ସତ, ହେଲେ ତାଙ୍କର ଦୁଇ ସନ୍ତାନଙ୍କୁ ବହୁତ ସ୍ନେହ କରନ୍ତି। ସାରା ଓ ଇବ୍ରାହିମଙ୍କ ସହ କରୀନାଙ୍କର ଅନେକ ଫଟୋ ଭାଇରାଲ ହୋଇଥାଏ। ସାରା-ଇବ୍ରାହିମ ମଧ୍ୟ କରିନାଙ୍କୁ ବହୁତ ସମ୍ମାନ କରନ୍ତି।
ପ୍ରକାଶ ଥାଉକି, ସୈଫ ଓ କରିନା ୨୦୧୨ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୈଫ-କରୀନାଙ୍କ ଦୁଇ ପୁଅ ଅଛନ୍ତି।


