
ବ୍ରହ୍ମପୁର,୨୫/୧୦/୨୧ (ଜିଲ୍ଲା ଖବର ) : କାର୍ତ୍ତିକ ମାସ ଆରମ୍ଭ ହୋଇସାରିଛି। କାର୍ତ୍ତିକ ମାସକୁ ଧର୍ମମାସ ବୋଲି କୁହାଯାଏ । ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର। ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି ଶ୍ରଦ୍ଧାଳୁ। ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଥାଏ । କିନ୍ତୁ ଚଳିତ ବର୍ଷ ଧବଳେଶ୍ୱର ପୀଠରେ କୋଭିଡ କଟକଣା ପାଇଁ ମନ୍ଦିର ପରିସର ସମ୍ପୂର୍ଣ୍ଣ ଖାଁ ଖାଁ ରହିଛି । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ଆସି ଧବଳେଶ୍ୱରଙ୍କୁ ଦର୍ଶନ କରୁଥିଲେ ଆଜି ସେ ଜାଗା ଭକ୍ତ ଶୂନ୍ୟ ରହିଛି । ସେପଟେ କାର୍ତିକ ମାସର ପ୍ରଥମ ସୋମବାର ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟ ହୋଇଥାଏ ।
ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ଵକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ପାରେ ନାହିଁ । ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ।
ବିଶ୍ଵଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେ ପରେ ଚନ୍ଦ୍ର ଏବଂ ମା କାଳୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ । ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ । କୁହାଯାଏ କାର୍ତ୍ତିକ ମାସର ସମସ୍ତ ସୋମବାର ଶିବଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ। ସକାଳୁ ଉଠି ନାରୀମାନେ ଘର ଦ୍ୱାର ଲିପା ଗୋଛା କରିବା ପରେ ସ୍ନାନ ସାରି ମନ୍ଦିର ଯାଇଥାନ୍ତି। ମହାଦେବଙ୍କ ଦର୍ଶନ ପରେ ସମସ୍ତଙ୍କ ଘର ତୁଳସୀ ଚଉରା ପାଖରେ ଝୋଟି ଆଙ୍କିଥାନ୍ତି। ଏହାସହ ପୂଜା ମଧ୍ୟ କରିଥାନ୍ତି। ତେବେ କେବଳ ସୋମବାର ଏପରି କରାଯାଏ ନାହିଁ, କାର୍ତ୍ତିକ ମାସ ସାରା ଏପରି କରାଯାଏ। କାର୍ତ୍ତିକ ମାସ ଆରମ୍ଭରୁ ହିଁ ଘରେ ଆମିଷ ପଶେ ନାହିଁ।
କାର୍ତ୍ତିକ ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉତ୍କଳର ରାଜଧାନୀ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଏହା ଓଡ଼ିଶାର ଏକ ପ୍ରଧାନ ଉତ୍ସବ । ଉତ୍କଳର ବିଲୁପ୍ତ ନୌପରମ୍ପରା ସହିତ ଏହାର ସଂପୃକ୍ତି ରହିଛି । କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଦିବସ ନାମରେ ମଧ୍ୟ ଖ୍ୟାତ ।


