ମମିତା ହତ୍ୟା ଘଟଣା; ବିଜେପିର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ ଡାକରା, ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି

5

୨୫/୧୦/୨୧ (ଜିଲ୍ଲା ଖବର) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ଅସନ୍ତୋଷର ନିଆଁ ଜଳୁଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲେ ହେଁ ସ୍ଥାନୀୟ ମନ୍ତ୍ରୀ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ଜୋର ଧରିଛି ପ୍ରତିବାଦ ।

ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଘଟଣାର ତଦନ୍ତ ଭାର ସିବିଆଇକୁ ଦେବାକୁ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ଦାବି ହେଉଛି । ତେବେ ଏହାର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବୀରମହାରାଜପୁର ବ୍ଲକକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ଦୋକାନ ବଜାର, ସରକାରୀ ବେସରକାରୀ ପ୍ରତିଷ୍ଠାନ ସହ ଗାଡି ମଟର ସମ୍ପୁର୍ଣ୍ଣଭାବେ ବନ୍ଦ ରହିଛି । ବିଭିନ୍ନ ଛକମାନଙ୍କରେ ବିଜେପି କର୍ମୀଙ୍କ ଦ୍ବାରା ପିକେଟିଂ କରାଯାଇଥିବା ଦେଖିବାକୁ ମିଳିଛି । ବନ୍ଦର ପ୍ରଭାବରେ ରାସ୍ତାରେ ଅନେକ ଯାନ ବାହନ ଅଟକି ରହିଥିବା ଦେଖିବାକୁ ମିଳିଛି ।