
ମୁମ୍ବାଇ, ୨୩/୧୦/୨୧ (ଜିଲ୍ଲା ଖବର) : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲରେ ଗିରଫ ହୋଇ ଜେଲରେ ଅଛନ୍ତି ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ । ତେବେ ଏହାରି ମଧ୍ୟରେ ଏନସିବି ହାତରେ ଲାଗିଛି ଆର୍ଯ୍ୟନ ଖାନ୍ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହୋଇଥିବା ହ୍ବାଟସପ ଚାଟ୍ । ତେବେ ଦୁହେଁ ଚାଟ୍ ରେ ଡ୍ରଗ୍ସ ବିଷୟରେ କଥାବାର୍ତ୍ତା ହୋଇଥିବା ଜଣାପଡିଛି । ତେଣୁ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚୁରା କରିବା ପାଇଁ ସମନ ଜାରି କରିଥିଲା ଏନସିବି । ଦୁଇଦିନ ତାଙ୍କୁ ପଚରାଉଚୁରା କରିବା ପରେ ମଧ୍ୟ, ସରିନି ଏନସିବିର ଜେରା । ଆସନ୍ତା ସୋମବାର ଦିନ ପୁଣି ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି ।
ତେବେ ଏହାର ପ୍ରଭାବ ଏବେ ଅନନ୍ୟାଙ୍କ ଫିଲ୍ମ କ୍ୟାରିୟର ଉପରେ ପଡୁଥିବା ନଜର ଆସୁଛି । ଖବର ଅନୁଯାୟୀ, ଆର୍ଯ୍ୟନଙ୍କ ଡ୍ରଗ୍ସ କେସରେ ନା ଆସିବା ପରେ, ଏବେ ଅନନ୍ୟାଙ୍କୁ ସାଉଥ୍ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମରୁ ବାହାର କରି ଦିଆଯାଇଛି ।
ସାଉଥ୍ ଫିଲ୍ମର ସୁପରଷ୍ଟାର ହେଉଛନ୍ତି, ଥଲାପତି ବିଜୟ । ଖୁବ୍ ଶୀଘ୍ର ସେ ଫିଲ୍ମ’ଥଲାପତି ୬୬’ରେ ନଜର ଆସିବାକୁ ଯାଉଛନ୍ତି । ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ପାଇଁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ବଛା ଯାଇଥିଲା । ହେଲେ ଖବର ଅନୁଯାୟୀ, ଏବେ ତାଙ୍କୁ ସେଥିରୁ ବାଦ୍ ଦିଆଯାଇଛି ।
କରନ ଜୋହରଙ୍କ ଫିଲ୍ମ ’ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ମାଧ୍ୟମରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏହାପରେ ମଧ୍ୟ ସେ ଆଉ କିଛି ଫିଲ୍ମରେ କାମ କରିଛନ୍ତି ।





