
୨୧/୧୦ ୨୧ (ଜିଲ୍ଲା ଖବର ) : ଆଜିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ ମାସ। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ବିଶ୍ଵଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା କାଳୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ । ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ ।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। କିନ୍ତୁ କରୋନା ପାଇଁ ସରକାର କଟକଣା ଜାରି କରିଥିବାରୁ ଏଥର ସେତେଟା ଭିଡ଼ ନାହିଁ। ତଥାପି ଶ୍ରୀଜିଉଙ୍କ ଦର୍ଶନ କରିବା ଓ ମହାପ୍ରସାଦ ପ୍ରାପ୍ତିର ଆକାଂକ୍ଷା କିଛି ଭକ୍ତଙ୍କୁ ଶ୍ରୀକ୍ଷେତ୍ରକୁ ଟାଣି ଆଣିଛି।
କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି। ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଏବଂ ପରବର୍ତ୍ତୀ ମାସ ମାର୍ଗଶୀର ମାସ।
ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ। ମାସ ସାରା ଆମିଷ ଭକ୍ଷଣ ବାରଣ ରହିଛି। ମାସସାରା ପାଳି ନ’ପାରିଲେ ପଞ୍ଚୁକ ପାଞ୍ଚଦିନ ଆମିଷ ଭକ୍ଷଣ ନିହାତି ବାରଣ ରହିଛି। କୁହାଯାଏ, ଏପରିକି ପଞ୍ଚୁକ ଏହି ପାଞ୍ଚ ଦିନରେ ବଗ ମଧ୍ୟ ଆମିଷ ଖାଇବା ଛାଡ଼ିଦିଏ। କାର୍ତ୍ତିକ ମାସ ମଧ୍ୟରେ ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା (ବୋଇତ ବନ୍ଦାଣ), ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଆଦି ପୂଜା ପର୍ବାଣୀ ପଡ଼ିଥାଏ। ହିନ୍ଦୁ ମହିଳାମାନେ ଏହି କାର୍ତ୍ତିକ ମାସରେ ଅତି ନିଷ୍ଠାର ସହ ପାଳନ କରିଥାଆନ୍ତି ହବିଷ। ସେମାନଙ୍କୁ ହବିଷ୍ୟାଳି କୁହାଯାଏ।
।“ନାଁ କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ
ନ’ ବେଦ ସଦୃଶଂ ଶାସ୍ତ୍ରଂ ନ’ ତୀର୍ଥଂ ଗଙ୍ଗାୟା ସମମ୍”।।
ଅର୍ଥାତ୍- କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ।
କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ। ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ୟ୍ୟନ୍ତ ଅତ୍ୟନ୍ତ ପବିତ୍ର। ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ, ବକ ପଞ୍ଚୁକ, ମହାପଞ୍ଚୁକ ଇତ୍ୟାଦି କୁହାଯାଏ।


